Sat. Dec 28th, 2024

ଆର୍ଏସ୍ପିରେ ପୂର୍ବତନ ସୈନିକଙ୍କୁ ନିଯୁକ୍ତି ଦିଆଯାଉ ନଚେତ୍ ପରିସ୍ଥିତି ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ – ପଶ୍ଚିମ ଓଡିଶା ଯବାନ ବିକାଶ ପରିଷଦ

By amfnews Sep 4, 2018 #Featured
206 Views

ରାଉରକେଲା, ୪ା୯ : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆର୍ଏସ୍ପିରେ ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତି ମିଳୁନାହିଁ । ସେଲ୍ ଅନ୍ତର୍ଗତ ସମସ୍ତ ଇସ୍ପାତ କାରଖାନା ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତି ଦେଉଛନ୍ତି । କିନ୍ତୁ ଆର୍ଏସ୍ପି କର୍ତ୍ତୃପକ୍ଷ ସରକାରୀ ନିୟମକୁ ଉଲ୍ଲଂଘନ କରିଆସୁଛନ୍ତି । ଅବିଳମ୍ବେ ଆର୍ଏସ୍ପିରେ ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତି ଦିଆଯାଉ ନଚେତ୍ ପରିସ୍ଥିତି ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଆଗାମୀ ଦିନରେ ସୈନିକମାନେ ଅନଶନ ଓ ବିକ୍ଷୋଭ କରିବା ସହ ପ୍ରତିରକ୍ଷା ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ପଶ୍ଚିମ ଓଡ଼ିଶା ଯବାନ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

୧୯୭୮ ମସିହାରେ ଭାରତ ସରକାର ଗେଜେଟ ନୋଟିଫିକେସନ କରି ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କରେ ପୂର୍ବତନ ସୈନିକମାନଙ୍କ ପାଇଁ ୧୪.୫% ଆରକ୍ଷଣ ବ୍ୟବସ୍ଥା କରିଥିଲେ । ମାତ୍ର ଭାରତ ସରକାରଙ୍କ ଏହି ନୋଟିଫିକେସନକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବାରେ ଖିଲାପ କରିଆସୁଛନ୍ତି । ୧୯୯୭ରେ ୫୨ ଜଣଙ୍କୁ ଜିଲା ଓ ରାଜ୍ୟ ସନୈକି ବୋର୍ଡ ସୁପାରିଶକ୍ରମେ କାରଖାନା କର୍ତ୍ତୃପକ୍ଷ ସିଧାସଳଖ ନିଯୁକ୍ତି ଦେଇଥିଲେ । ତା’ ପରଠାରୁ ଅଦ୍ୟାବଧି ପୂର୍ବତନ ଯବାନମାନଙ୍କୁ ଚାକିରୀ ଦେବା ବନ୍ଦ ହୋଇଯାଇଛି । ଏନେଇ ପୂର୍ବତନ ସୈନିକ ସଂଘ ତଥା ପଶ୍ଚିମ ଓଡିଶା ଯବାନ ବିକାଶ ପରିଷଦର କର୍ମକର୍ତ୍ତାମାନେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଏଥିସହ ସେମାନଙ୍କ ସପକ୍ଷରେ ସୂଚନା ଅଧିକାର ଆଇନ୍ ତଥା ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ବିଭିନ୍ନ ବିଭାଗରୁ ଆସିଥିବା ଚିଠିର ନକଲ କପି ଉପସ୍ଥାପନ କରି ଘଟଣାର ସତ୍ୟାସତ୍ୟ ପ୍ରତିପାଦନ କରିଛନ୍ତି । ୧୯୯୮ ପରଠାରୁ ୨୦୧୪ ପର୍ଯ୍ୟନ୍ତ ହୋଇଥିବା ନିଯୁକ୍ତିରେ ଏମାନଙ୍କୁ ଆବେଦନ କରିବାର ସୁଯୋଗରୁ ବଞ୍ôଚତ କରାଯାଇଛି । ତେବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା ଇସ୍ପାତ କାରଖାନାର କାର୍ମିକ ବିଭାଗ ଡିଜିଏମ୍ ବିରେନ୍ଦ୍ର କୁଲୁଙ୍କୁ ଏ ସମ୍ପର୍କରେ ଅବଗତ କରିବାରୁ ସେମାନଙ୍କୁ ପ୍ରଶାସନିକ ନାଲିଆଖି ଦେଖାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପରିଷଦ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ୨୦୧୫ ମସିହା ନିଯୁକ୍ତି ବେଳେ ହୋଇଥିବା ଆରକ୍ଷଣ କୋଟା ଅନୁଯାୟୀ ଅପରେଟର କମ୍ ଟେକ୍ନିସିଆନ (ଓସିଟି-ଟି), ଆଟେଣ୍ଟାଣ୍ଡ କମ୍ ଟେକ୍ନିସିଆନ (ଏସିଟି-ଟି) ଓ ବଏଲର ଟ୍ରେନି (ବିଓଟି-ଟି) ନାମରେ ୬୩ଟି ପଦୀ ପୂରଣ ପାଇଁ ବିଜ୍ଞାପନ ଜାରି କରାଯାଇଥିଲା । ଯବାନମାନଙ୍କୁ ସ୍ୱତନ୍ତ୍ର ଚୟନ ବ୍ୟବସ୍ଥା ନ କରି ୧୪୨ ଜଣ ସେବା ନିବୃତ୍ତ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ମାତ୍ର ୫ ଜଣ କୃତକାର୍ଯ୍ୟ ହେଲେ ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚାକିରୀ ଦିଆଯାଇଥିବା କୁହାଯାଇଥିଲା ।

ଜଣେ ଅବସରପ୍ରାପ୍ତ ନୈସେନା ଅଧିକାରୀ ସଞ୍ଜିତ କୁମାର ସେନଙ୍କୁ ସୈନ୍ୟ ବିଭାଗର ବୈଷୟିକ ପ୍ରମାଣ ପତ୍ରକୁ ଆର୍ଏସ୍ପି କର୍ତ୍ତୃପକ୍ଷ ସ୍ୱୀକୃତି ଦେଇନଥିଲା । ଯଦିଓ ସେହି ପ୍ରମାଣପତ୍ର ବଳରେ ସେ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଚାକିରୀ ପାଇଥିଲେ । ତେବେ ଏହା ସମ୍ଭବ ହେଲା କେମିତି ବୋଲି ପରିଷଦ ସଦସ୍ୟମାନେ ସାମ୍ବାଦିକ ସମ୍ମାଳନୀରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଆଉଜଣେ ସ୍ଥଳସେନା ଅଧିକାରୀ ବିଜୟ ନାରାୟଣ ଶତପଥୀଙ୍କ ବୈଷୟିକ ପ୍ରମାଣପତ୍ରକୁ ନାକଚ କରି ଦେଇଥିଲେ । ମାତ୍ର ବଳିଥିବା କୋଟାକୁ ରାଜ୍ୟ ବାହାରୁ ଆସିଥିବା ସାର୍ଟିଫିକେଟର ସତ୍ୟାସତ୍ୟ ଯାଞ୍ଚ ନ କରି ନିଯୁକ୍ତି ଦିଆଯାଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆର୍ଏସ୍ପି ମଧ୍ୟରେ ଯବାନଙ୍କ ନିଯୁକ୍ତି ନେଇ ବ୍ୟାପକ ଦୁର୍ନୀତି ଚାଲିଛି । ତେଣୁ ଏହାର ବିଧିବଦ୍ଧ ତଦନ୍ତ ପାଇଁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କୁ ଅବଗତ କରାଯାଇଥିଲ, ଯାହାର ତଦନ୍ତ ଫଳାଫଳ ଏ ପର୍ଯ୍ୟନ୍ତ ଜାଣିନଥିବା ନେଇ ପରିଷଦ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ ।

ସେହିପରି ରାଉରକେଲା ବିମାନ ବନ୍ଦର ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ପଦବୀ ନିମନ୍ତେ ସାକ୍ଷାତ ଦେଇଥିବା ପୂର୍ବତନ ସୈନିକମାନଙ୍କୁ ଅଣଦେଖା କରାଯାଇ ଜଣେ ୬୫ ବର୍ଷିୟ ଜାମସେଦପୁର ବାସି ବୃଦ୍ଧଙ୍କୁ ନିଯୁକ୍ତି ଦିଆଗଲା, ଯାହା ଡିଜିସିଏ ସିଭିଲ ଏଭିଏସନ ବିଭାଗ ନିୟମର ବିରୁଦ୍ଧାଚରଣ କରେ । ଏସବୁ ତଥ୍ୟ ଉପରେ କେନ୍ଦ୍ରୀୟ ସୂଚନା କମିଶନରଙ୍କ ନିର୍ଦ୍ଦେଶକୁ ଆର୍ଏସ୍ପି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି । କାରଖାନାରେ ଚାକିରୀ ଦେବା ତ ଦୂରର କଥା ଦେଶର ସୁରକ୍ଷା ପାଇଁ ନିୟୋଜିତ ଏବଂ ତାଲିମ୍ପ୍ରାପ୍ତ ପୂର୍ବତନ ସୈନିକମାନଙ୍କୁ ୨୦୧୭-୧୮ରେ କାରଖାନାର ସହରାଞ୍ଚଳରେ ସୁରକ୍ଷା କର୍ମୀ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସାମିଲ୍ ନ କରି ବିଭିନ୍ନ ଆଳରେ ସେମାନଙ୍କୁ ବଞ୍ôଚତ କରାଗଲା । ଏହା ବିରୁଦ୍ଧରେ ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ଜଣେ ପୂର୍ବତନ ସୈନିକ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ଦେଶର ଅନ୍ୟାନ୍ୟ ଷ୍ଟିଲ୍ ପ୍ଲାଣ୍ଟ ଭଳି ଆର୍ଏସ୍ପିରେ ପୂର୍ବତନ ସୈନିକମାନଙ୍କୁ ପ୍ରତିରକ୍ଷା ବିଭାଗରୁ ପ୍ରାପ୍ତ ବୈଷୟିକ ପ୍ରମାଣପତ୍ରକୁ ମାନ୍ୟତା ଦେବା, ଅଦ୍ୟାବଧି ଅଣଦେଖା କରାଯାଇଥିବା ପୂର୍ବତନ ସୈନିକମାନଙ୍କ କୋଟାକୁ ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କରିବା, ପୂର୍ବତନ ସୈନିକମାନଙ୍କ ପାଇଁ ରାଜଧାନୀ ଓ ଅନ୍ୟାନ୍ୟ ବଡ ବଡ ସହର ଭଳି ରାଉରକେଲାରେ ଡିଫେନ୍ସ କଲୋନୀ, ଇସିଏଚ୍ଏସ୍ ଚିକିତ୍ସା କେନ୍ଦ୍ର ଏବଂ କ୍ୟାଣ୍ଟିନ ଆଦିର ବ୍ୟବସ୍ଥା କରି ଥଇଥାନ କରାଯିବାକୁ ଉଭୟ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । ଅତୀତରେ ଆର୍ଏସ୍ପିରେ ଚାକିରୀ ପାଇଥିବା ସୈନିକମାନେ କାରଖାନା ପାଇଁ ଗର୍ବ ଓ ଗୌରବର ସ୍ୱାକ୍ଷର ବହନ କରିଛନ୍ତି ।

ତେଣୁ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା କରାଯାଇ ଖାଲିଥିବା ପଦବୀ ପୂରଣ କରାଯାଉ । ନଚେତ୍ ଆଗାମୀ ଦିନରେ ଦେଶର ପୂର୍ବତନ ସୈନିକମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ସମ୍ମିଳନୀରେ ଉଭୟ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ଯବାନ ବିକାଶ ପରିଷଦ ସଭାପତି ମେଜର ଅକ୍ଷୟ ସାମଲ, ଉପସଭାପତି ଇଂ.ପ୍ରକାଶ ଚନ୍ଦ୍ର ପରିଜା, ଅଧ୍ୟକ୍ଷ ଇଂ. ନିର୍ମଳ କୁମାର ଦାଶ, ଆବାହକ ଚକ୍ରାନ୍ତ ଜେନା, ସାଧାରଣ ସମ୍ପାଦକ ଜଗବନ୍ଧୁ ଜ୍ଞାନ, ରଞ୍ଜନ ଲେଙ୍କା, ଭରତ ଶତପଥୀ, ଅରୁଣ ପାଣିଗ୍ରାହୀ, ପୂର୍ବତନ ଡିଏସ୍ପି ଯଦୁମଣି ପ୍ରଧାନ, ମୁରଲୀଧର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post