Fri. Jan 24th, 2025

ଆର୍ଏମ୍ସିର ଜବରଦଖଲ ଉଚ୍ଛେଦ ଅଭିଯାନ ଜୋର୍ଦାର ମ୍ୟୁନିସିପାଲ ନାଳ ଉପରେ ନିର୍ମିତ ୫ ବେଆଇନ୍ ଅଟ୍ଟାଳିକା ଉଚ୍ଛେଦ

rklsanchar@gmail.com' By J.N. Pradhan Aug 29, 2018 #Featured
297 Views

ରାଉରକେଲା, ୨୯ା୮ : ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋର୍ଦାର କରାଯାଇଛି । ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ବେବନ୍ଦୋବସ୍ତ ଜମି ଉପରେ ଥିବା ମ୍ୟୁନିସିପାଲ ନାଳ ଉପରେ ବେଆଇନ୍ ଭାବେ ନିର୍ମାଣକୁ ଉଚ୍ଛେଦ କରିଛି ପ୍ରଶାସନ । ନାଳ ଉପରେ ଏଭଳି ବେଆଇନ୍ ନିର୍ମାଣ କାର୍ଯ୍ୟ ଦ୍ୱାରା ବର୍ଷାଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିଲା । ଫଳରେ ଆଖପାଖ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ବର୍ଷା ଦିନରେ ଆଖପାଖ ଅଞ୍ଚଳରେ ଥିବା ବସ୍ତି ତଥା ଅନ୍ୟାନ୍ୟ ଆବାସିକ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା । ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀ ମହାନଗର ନିଗମ କମିଶନର ରଶ୍ମିତା ପଣ୍ଡାଙ୍କୁ ସାକ୍ଷାତ କରି ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ ।

ଫଳରେ କମିଶନର ଶ୍ରୀମତୀ ପଣ୍ଡା ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେବା ସହ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମହାନଗର ନିଗମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ଶନିବାର ଅର୍ଥାତ୍ ୨୫ ତାରିଖ ଦିନ ସମ୍ପୃକ୍ତ ଅଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କରାଯିବା ସହ ମ୍ୟୁନିସିପାଲ ନାଳ ଉପରେ ବେଆଇନ୍ ଭାବେ ନିର୍ମିତ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା । ସେହିଦିନ ସନ୍ଧ୍ୟାରେ ମହାନଗର ନିଗମ କାର୍ଯ୍ୟାଳୟରେ କମିଶନର ଶ୍ରୀମତୀ ପଣ୍ଡା ବେଆଇନ୍ ଜବରଦଖଲ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହି ଅଞ୍ଚଳରେ ମ୍ୟୁନିସିପାଲ ନାଳ ଉପରେ ଆହୁରି ଅନେକ ବେଆଇନ୍ ନିର୍ମାଣ ହୋଇଥିବା ସମୀକ୍ଷା ବେଳେ ଜଣାପଡିଥିଲା ।

ତେଣୁ ତୁରନ୍ତ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉକ୍ତ ବେଆଇନ୍ ନିର୍ମାଣକୁ ଭାଙ୍ଗିବା ପାଇଁ ସେ ନିର୍ଦ୍ଦେଶ ଦେିଇଥିଲେ । ବେବନ୍ଦୋବସ୍ତ ପ୍ଲଟ୍ରେ ବେଆଇନ୍ ନିର୍ମାଣ କରିଥିବା ୫ ଜଣ ବ୍ୟକ୍ତିଙ୍କୁ ଉଚ୍ଛେଦ ନେଇ ମହାନଗର ନିଗମ ପକ୍ଷରୁ ନୋଟିସ୍ ଦିଆଯାଇଥିଲା । ପରେ ଆଜି ସକାଳୁ ପୁଲିସ୍ ଏବଂ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ, ଲ୍ୟାଣ୍ଡଗାର୍ଡ ବିଭାଗର ଅଧିକାରୀଙ୍କ ସମେତ ମହାନଗର ନିଗମର ଉପାୟୁକ୍ତ ସୁଷମା ବିଲୁଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଆଇନ୍ ନିର୍ମାଣକୁ ଭଙ୍ଗା ଯାଇଥିଲା । ଆସନ୍ତାକାଲି ମଧ୍ୟ ଉକ୍ତ ସ୍ଥାନରେ ବେଆଇନ୍ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ।

ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆଗକୁ ଆହୁରି ତୀବ୍ରତର କରାଯିବ । ସହରର ଅନ୍ୟାନ୍ୟ ଅଞ୍ଚଳରେ ମ୍ୟୁନିସିପାଲ ନାଳ ଉପରେ ବେଆଇନ୍ ନିର୍ମାଣ କରି ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ବେଆଇନ୍ ଅଟ୍ଟାଳିକା ତଥା ଅନ୍ୟାନ୍ୟ ନିର୍ମାଣକୁ ଭଙ୍ଗାଯିବ ବୋଲି ଜଣାପଡିଛି । ତେଣୁ ସହରର ମ୍ୟୁନିସିପାଲ ନାଳ ଉପରେ ବେଆଇନ୍ ନିର୍ମାଣ କରିଥିବା ବ୍ୟକ୍ତି ବିଶେଷ ଯଥାଶୀଘ୍ର ନିଜେ ନିର୍ମାଣ କରିଥିବା ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Related Post