Wed. Mar 11th, 2026

ଆରାମକୋ ଉପରେ ଆକ୍ରମଣର ପ୍ରଭାବ, ଅଶୋଧିତ ତେଲ ଦର ବଢ଼ିଲା ୧୦ ପ୍ରତିଶତ

208 Views

ଓ୍ୱାଶିଂଟନ  :  ଆଜି ଅଶୌଧିତ ତେଲ ଦର ୧୦ ପ୍ରତିଶତ ବଢ଼ିଛି। ସାଉଦି ଆରବରେ ଥିବା ତୈଳ କମ୍ପାନୀ ଆରାମକୋର ଦୁଇଟି ପ୍ଲାଣ୍ଟ ଉପରେ ଆକ୍ରମଣ ହେବା ପରେ ଏହାର ପ୍ରଭାବ ବିଶ୍ୱର ତେଲ ବଜାର ଉପରେ ପଡ଼ିଛି। ସାଉଦି ଆରବ ସାରା ବିଶ୍ୱକୁ ୯.୮ ନିୟୁତ ବାରେଲ୍ ଅଶୋଧିତ ତେଲ ଯୋଗାଉଥିବା ବେଳେ ଏବେ ଏହା ଅଧା ଯୋଗାଉଛି। ଯାହାକୁ ନେଇ ଏବେ ବିଶ୍ୱର ତେଲ ବଜାର ଏବେ ସଙ୍କଟରେ ପଡ଼ିବାକୁ ଯାଉଛି। କାରଣ କେବେ ଆରାମକୋ ତୈଳ କମ୍ପାନୀରେ ସ୍ଥିତି ସ୍ୱାଭାବିକ୍ ହେବ ସେ ବାବଦରେ କୌଣସି ସଠିକ ସୂଚନା ମିଳି ପାରି ନାହିଁ। ତେଣୁ ବିଶୋଧିତ ତେଲର ଦାମ ମଧ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏବେ ଆମେରିକାରେ ଅଶୋଧିତ ତେଲର ଦାମ ୧୦ ପ୍ରତିଶତ ବଢ଼ି ବାରେଲ ପିଛା ୫.୬୧ ଡଲାରରୁ ୧୦. ୪୬ ଡଲାର ହୋଇଛି।

ସାରା ବିଶ୍ୱକୁ ଆରାମକୋ ସବୁଠୁ ଅଧିକ ଅଶୋଧିତ ତେଲ ଯୋଗାଇ ଥାଏ। କହିବାକୁ ଗଲେ ତିନି ଭାଗରୁ ଗୋଟିଏ ଭାଗ। ମୁଖ୍ୟତଃ ସାଉଦି ଆରବର ଅଶୋଧିତ ତେଲ ଉପରେ ଚାଇନା, ଜାପାନ, ଦକ୍ଷିଣ କୋରିଆ, ଭାରତ ଏବଂ ଆମେରିକା ନିର୍ଭର କରିଥାଏ।

ଚାଇନା ୧.୮୮ ନିୟୁତ ବାରେଲ୍ ଅଶୋଧିତ ତେଲ, ଜାପାନ୍ ୧.୦୨ ନିୟୁତ ବାରେଲ୍, ସାଉଥ କୋରିଆ ୦.୮୯ ବାରେଲ୍, ଭାରତ ୦.୭୪ ବାରେଲ୍ ଏବଂ ଆମେରିକା ୦.୫୮ ବାରେଲ୍ ତେଲ ଆମଦାନୀ କରିଥାଏ।

ଏବେ ଆରାମକୋ ପ୍ଲାଣ୍ଟରେ ସ୍ୱାଭାବିକ୍ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଆଜି ସୁଦ୍ଧା ଡ୍ରୋନ୍ ଆକ୍ରମଣରେ ପ୍ରଭାବିତ ହୋଇଥିବା ପ୍ଲାଣ୍ଟର ୧ ପ୍ରତିଶତ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବ ବୋଲି ଜଣାପଡ଼ିଥିବା ବେଳେ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ ସପ୍ତାହେରୁ ଅଧିକ ଦିନ ଲାଗିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଆରାମକୋ ପ୍ଲାଣ୍ଟ ଉପରେ ଆଉ ଥରେ ୟେମେନର ହୁତି ବିଦ୍ରୋହୀ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି ବୋଲି ଜଣାପଡ଼ିଛି। ତେଣୁ ବିଦେଶୀ ନାଗରିକଙ୍କୁ ସଂପୃକ୍ତ ସ୍ଥାନ ଛାଡ଼ିଯିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ। ଆରାମକୋ ସାଉଦି ଆରବର ରାଷ୍ଟ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କମ୍ପାନୀ ଅଟେ। ଡ୍ରୋନରେ ହୋଇଥିବା ଏହି ଆକ୍ରମଣ ପାଇଁ ୟେମେନରେ ଥିବା ହୁତି ବିଦ୍ରୋହୀ ନିଜକୁ ଦାୟୀ କରିଛି। ଏ ନେଇ ସାଉଦି ଆରବର ପ୍ରମୁଖ ଗଣମାଧ୍ୟମ ଅଲ୍-ମଶିରାହ ଜରିଆରେ ହୁତି ବିଦ୍ରୋହୀ ସୂଚନା ଦେଇଥିଲେ। ଆକ୍ରମଣ ପାଇଁ ୧୦ଟି ଡ୍ରୋନ୍ ହୁତି ବିଦ୍ରୋହୀ ବ୍ୟବହାର କରିଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଶ୍ୱର ସବୁଠୁ ବଡ଼ ଏହି ତେଲ କମ୍ପାନୀ ଉପରେ ଆତଙ୍କବାଦୀ ନଜର ରଖିଥାନ୍ତି। ୨୦୦୬ରେ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସାଉଦି ଆରବର ଏହି ରାଷ୍ଟ୍ରୀୟ ତେଲ କମ୍ପାନୀ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା। ହେଲେ ଏହା ବିଫଳ ହୋଇଥିଲା।

By amfnews

Related Post