Sun. Mar 8th, 2026

ଆରମ୍ଭ ହେଲା ‘ସୁରଭି’ : ଆତ୍ମବିଶ୍ବାସ, କଠିନ ଶ୍ରମ ବିଦ୍ୟାର୍ଥୀକୁ ପ୍ରତିଷ୍ଠା ଦେଇପାରିବ

196 Views

ଭୁବନେଶ୍ବର : କଠିନ ପରିଶ୍ରମର ବିକଳ୍ପ ନାହିଁ। ପ୍ରଚଣ୍ଡ ଆତ୍ମବିଶ୍ବାସ ସହ କଠନି ଶ୍ରମ ହିଁ ଜଣେ ବିଦ୍ୟାର୍ଥୀକୁ ଭବିଷ୍ୟତରେ ପ୍ରତିଷ୍ଠା ଦେଇପାରିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ ସରକାରୀ ବାଳକ ବିଦ୍ୟାଳୟରେ ଶିଶୁ ଦିବସରେ ଆଜିଠୁ ଆରମ୍ଭ ହୋଇଥିବା ‘ସୁରଭି’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାଶ କହିଛନ୍ତି, ସୃଜନଶୀଳତାର ପରିପ୍ରକାଶ ପାଇଁ ‘ସୁରଭି’ ସୁଯୋଗ ସୃଷ୍ଟି କରୁଛି। ତେଣୁ ପ୍ରତ୍ୟେକ ଏଠାରୁ କିଛି ଆହରଣ କରି ଫେରିବା ସହ ନିଜ ଜୀବନରେ ଉପଯୋଗ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଚିତ୍ରା ଆରୁମୁଗମ୍‌ କହିଲେ, ପ୍ରତ୍ୟେକଙ୍କ ପିଲା ଦିନ ତା’ ପାଇଁ ମୂଲ୍ୟବାନ। ସେଇଭଳି ପିଲାମାନେ ହିଁ ଆମ ସମାଜ ପାଇଁ ମୂଲ୍ୟବାନ୍‌। ତେଣୁ ଏକ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ପିଲାମାନେ ଆଗେଇବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ, ପ୍ରାଥମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଓସେପାର ନିର୍ଦେଶକ ଡ. ଗଙ୍ଗାଧର ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନ୍ୟାସ୍‌ନାଲ୍‌ ବୁକ୍‌ ଟ୍ରଷ୍ଟ୍ (ଏନ୍‌ଟବିଟି)ର ଭ୍ରାମ୍ୟମାଣ ବହି ପ୍ରଦର୍ଶନୀ ‘ବୁକ୍‌ ଅନ୍‌ ହ୍ବିଲ୍‌’କୁ ମନ୍ତ୍ରୀ ଶ୍ରୀ ଦାଶ ଉଦ୍‌ଘାଟନ କରିଥିଲେ।

ରାଜ୍ୟର ୩୦ଟି ଜିଲ୍ଲାର ପ୍ରାଥମିକ ମାଧ୍ୟମିକ ସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା, କୁଇଜ୍‌ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା। ପ୍ରତ୍ୟେକ ଶିକ୍ଷାମଣ୍ଡଳୀରୁ ପ୍ରତି ବିଭାଗ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ମଣ୍ଡଳ ସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକ ମନୋନୀତ କରିଥିବା ବେଳେ ୩ ହଜାର ଶିକ୍ଷାର୍ଥୀ ଏହି ୩ ଦିନିଆ ଶିଶୁ ମହୋତ୍ସବରେ ସାମିଲ୍‌ ହୋଇଛନ୍ତି। ଉତ୍ସବରେ ୩୦ରୁ ଅଧିକ ଷ୍ଟଲ୍‌ ଓ ପ୍ରଦର୍ଶନୀ ସହ ଛାୟା ବିଧାନସଭା, ସୃଜନାତ୍ମକ ଲେଖା ପ୍ରଶିକ୍ଷଣ, କଳା ସ୍ଥାପତ୍ୟ, ସଂଗୀତ ଓ ନୃତ୍ୟ କର୍ମଶାଳାର ଆୟୋଜନ କରାଯାଇଛି। ଆଜି ସୁରଭି କାର୍ଯ୍ୟକ୍ରମର ଅଂଶବିଶେ‌ଷ ଭାବେ ସକାଳେ ଶିକ୍ଷା ସଚେତନତା ଓ ଶକ୍ତି ସଞ୍ଚୟ ବାର୍ତା ସହ ଭୁବନେଶ୍ୱରରେ ସାଇକେଲ୍‌ ଶୋଭାଯାତ୍ରା ହୋଇଥିଲା। ମନ୍ତ୍ରୀ ଶ୍ରୀ ଦାସ ଏହି ଶୋଭାଯାତ୍ରାର ‌ଶୁଭାରମ୍ଭ କରିଥିଲେ।

By amfnews

Related Post