Thu. Jan 23rd, 2025

ଆରମ୍ଭ ହେଲା ବାଜପେୟୀଙ୍କ ଅସ୍ଥି କଳସ ଶୋଭାଯାତ୍ରା

By amfnews Aug 23, 2018 #Featured
194 Views

ଭୁବନେଶ୍ୱର, ଅଗଷ୍ଟ ୨୩:

ଆଜି ମହୋଦଧିରେ ବିସର୍ଜନ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀଙ୍କ ବାଜପେୟୀଙ୍କ ପବିତ୍ର ଅସ୍ଥି । ସେଥିପାଇଁ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ପୁରୀ ଅଭିମୁଖେ ଆରମ୍ଭ ହୋଇଛି ଶୋଭାଯାତ୍ରା । ରାଜଧାନୀରେ ହଜାର ହଜାର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ଶୋଭାଯାତ୍ରାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ସମୀର ମହାନ୍ତି ଓ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ନାମ ସଙ୍କୀର୍ତ୍ତନ ଓ ଅଟଳ ଜୀ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଉଛି ରାଜଧାନୀ ।

ପୁରୀ ଅଭିମୁଖେ ଯିବା ସମୟରେ ଅସ୍ଥି କଳସକୁ ଅନେକ ସ୍ଥାନରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ରାସ୍ତାରେ ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଅଠରନଳା ନିକଟରୁ ମହୋଦଧି ପର୍ଯ୍ୟନ୍ତ ପଦ ଯାତ୍ରା ହେବ |

ଆଜି ଅସ୍ଥି କଳସ ଦଳୀୟ କାର୍ଯ୍ୟାଳୟରୁ ବାହାରିବା ପରେ ରାଜମହଲ ଛକରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଏହା ପରେ ପିପିଲିର ପୁରୁଣା ରାସ୍ତା ଦେଇ ଅସ୍ଥି କଳସ ଯିବ । ଧଉଳି ଓ ଉତ୍ତରା ଛକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ପିପିଲିରେ ପ୍ରାୟ ୨ କିଲୋମିଟର ପଦ ଯାତ୍ରା ହେବାର ସ୍ଥିର ହୋଇଛି । ସେହିପରି ସାକ୍ଷୀଗୋପାଳରେ ମଧ୍ୟ ଏକ ସାଧାରଣ ସଭାର ଆୟୋଜନ ହୋଇଛି ।

ଅପରାହ୍ନ ସାଢେ ୨ ଟାରେ ମହୋଦଧିରେ ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।

By amfnews

Related Post