Wed. Mar 11th, 2026

ଆରବ ସାଗରରେ ଲଘୁଚାପ : ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ

840 Views

ଭୁବନେଶ୍ବର : ଆଜି ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପତବର୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଅକ୍ଟୋବର ମାସରେ ଓଡ଼ିଶା ପ୍ରତି ବାତ୍ୟା ଓ ବର୍ଷା ଭୟ ନ ଥିବା ଜଣାପଡ଼ିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ବର୍ଷା ଆଶଙ୍କା ଟଳିଛି। ବଡ଼ ବର୍ଷା ହେବ ନାହିଁ। କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏବେ ଓଡ଼ିଶାକୁ ଉତ୍ତର ପୂର୍ବରୁ ପବନ ହେଉଛି। ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୨୧ ତାରିଖଠାରୁ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ବୋହିବ। ତେଣୁ ଜଣାପଡ଼ୁଛି ଯେ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ବଡ଼ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାମିଲନାଡ଼ୁ ସମେତ ଦକ୍ଷିଣ ଭାରତରେ ବର୍ଷା ହେବ।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତର ଆଶଙ୍କା ଥିବାରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ପରବର୍ତୀ ୩ ଦିନ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା‌ ହେବାର ସମ୍ଭାବନା ରହିଛି।

By amfnews

Related Post