Sat. Mar 7th, 2026

ଆରଏସପି ସେଲ ହକି ଏକାଡେମୀର ସିଲାନନ୍ଦ ଲାକ୍ରା ଭାରତୀୟ ଜୁନିୟର ହକି ଦଳର ଉପଅଧିନାୟକ

208 Views

ରାଉରକେଲା, ୨୨ା୯  : ଅଷ୍ଟମ ସୁଲତାନ ଜୋହର କପରେ ଅଂଶଗ୍ରହଣ ନିମନ୍ତେ ଘୋଷିତ ଭାରତୀୟ ଜୁନିୟର ହକି ଦଳରେ ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମୀର କ୍ୟାଡେଟ୍ ସିଲାନନ୍ଦ ଲାକ୍ରାଙ୍କ ଚୟନ ତଥା ଦଳର ଉପଅଧିନାୟକ ନିଯୁକ୍ତ ହେବା ଖବର ଇସ୍ପାତ ସହର ଓ ରାଜ୍ୟ ପାଇଁ ବିପୁଳ ଖୁସି ଆଣିଦେଇଛି । ଏହି ଟୁର୍ଣ୍ଣାମେଣ୍ଟ ମାଲେସିୟା ଠାରେ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ । ଭାରତ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ, ଜାପାନ, ଅଷ୍ଟ୍ରେଲିଆ, ଗ୍ରେଟ ବ୍ରିଟେନ ଓ ଆୟୋଜକ ମାଲେସିଆ ଭାଗ ନେଉଛନ୍ତି ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ସିଲାନନ୍ଦଙ୍କ ବ୍ୟତୀତ ସେଲ ହକି ଏକାଡେମୀର ପୁରାତନ କ୍ୟାଡେଟ ପଙ୍କଜ କୁମାର ରଜାକ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଉଲ୍ଲେଖନୀୟ ଯେ, ଫରୱାର୍ଡ ଲାଇନରେ ଖେଳୁଥିବା ସିଲାନନ୍ଦ ୨୦୧୮ ମାର୍ଚ୍ଚ ମାସରେ ମାଲେସିଆର ଇପୋ ଠାରେ ଆୟୋଜିତ ୨୭ତମ ସୁଲତାନ ଅଜଲାନ ସାହ ହକି ପ୍ରତିଯୋଗିତାରେ ଭାରତୀୟ ସିନିୟର ଜାତୀୟ ହକି ଦଳର ପ୍ରତିନିଧିତ୍ୱ ସହିତ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଇଂଲଣ୍ଡ ବିରୁଦ୍ଧରେ ନିଜ ଆନ୍ତର୍ଜାତୀୟ କ୍ୟାରିଅରର ପ୍ରଥମ ଗୋଲ ସ୍କୋର କରିଥିଲେ । ତାଙ୍କର ଗୋଲ ଜରିଆରେ ଭାରତ ଉକ୍ତ ମ୍ୟାଚ୍କୁ ୧-୧ରେ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା ।

ଜୁଲାଇ ମାସରେ ବେଲଜିୟମ ଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ ଷଡ ରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏଥିପୂର୍ବରୁ ମାଲେସିଆରେ ୨୦୧୭ ଅକ୍ଟୋବର ମାସରେ ଅନୁଷ୍ଠିତ ସପ୍ତମ ସୁଲତାନ ଜୋହର କପରେ କାଂସ୍ୟ ପଦକ ହାସଲ କରିଥିବା ଭାରତୀୟ ଜୁନିୟର ଦଳର ମଧ୍ୟ ସେ ସଦସ୍ୟ କରିଥିଲେ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲାର କାଲିଜାପଥର ଗ୍ରାମର ନିବାସୀ କାର୍ଲସ ଲାକ୍ରା ଓ ମେରୀ ଗ୍ରେସ ଲାକ୍ରାଙ୍କ ସୁପୁତ୍ର ସିଲାନନ୍ଦ ୨୦୧୫ ଅଗଷ୍ଟ ମାସରେ ସେଲ ହକି ଏକାଡେମୀରେ ଯୋଗଦେଇଥିଲେ । ସେ ଏକାଡେମୀ ଯୋଗଦେବାଠାରୁ ସେଲ ହକି ଏକାଡେମୀର ଭେଟେରାନ୍ କୋଚ ଯଥା ଏନଆଇଏସ (ଜାତୀୟ କ୍ରୀଡା ପ୍ରତିଷ୍ଠାନ) ମାନ୍ୟତାପ୍ରାପ୍ତ କୋଚ, ରାଜୁକାନ୍ତ ସାଇନି ଏବଂ ଆରଏସପିର ହକି କୋଚ ତଥା ଭାରତୀୟ ଜୁନିୟର ହକି ଦଳର ପୂର୍ବତନ ଖେଳାଳୀ ପିଟର ତିର୍କୀଙ୍କ ଠାରୁ ଖେଳର ବିଭିନ୍ନ କୌଶଳ ଶିକ୍ଷା ଲାଭ କରିଆସୁଛନ୍ତି ।

By amfnews

Related Post