Sun. Mar 8th, 2026

ଆରଏସପି ମେକାନିକାଲ ସପ ବିଭାଗୀୟ ସାମୁଦାୟିକଙ୍କ ପ୍ରଶଂସନୀୟ କାର୍ଯ୍ୟ ଦ୍ୱାରା ବିପୁଳ ସଞ୍ଚୟ ସାଧନ

424 Views

ରାଉରକେଲା, ୮ା୯  : ସେଲ ରାଉରକେଲା ଇସ୍ପାତ କାରଖାନାର ମେକାନିକାଲ ସପ ବିଭାଗୀୟ ଏକ କର୍ମଚାରୀ ଦଳ ବ୍ଲାଷ୍ଟ ଫର୍ଣ୍ଣେସ ପିସିଆଇ କ୍ଲାସିଫାୟାର ବିୟରିଙ୍ଗ ନମ୍ବର ୬୧୮/୭୧୦ର ପ୍ରଥମ ଥର ନିମନ୍ତେ ସଫଳତା ସହକାରେ ବିକାଶ ସାଧନ କରି ଅନ୍ୟ ଏକ ଉଦାହାରଣ ସୃଷ୍ଟି କରିଛନ୍ତି । ନିଜସ୍ୱ ସମ୍ବଳରେ ସମ୍ପାଦିତ ଏହି କାର୍ଯ୍ୟ କାରଖାନା ପାଇଁ ବିପୁଳ ସଞ୍ଚୟ ଆଣିଦେବା ସହିତ ଭବିଷ୍ୟତରେ ଅନୁରୂପ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ କର୍ମଚାରୀମାନଙ୍କର ମନୋବଳକୁ ସୁଦୃଢ କରିଛି । ଉଲ୍ଲେଖନୀୟ ଯେ, କ୍ଲାସିଫାୟାର ବିୟରିଙ୍ଗ ଉପରେ ବ୍ଲାଷ୍ଟ ଫର୍ଣ୍ଣେସ କ୍ଲାସିଫାୟାର ଘୂର୍ଣ୍ଣନ କରିଥାଏ । ୮୪୦ ମିଲିମିଟର ବାହ୍ୟ ବ୍ୟାସ ଓ ୭୧୦ ମିଲିମିଟର ଆଭ୍ୟାନ୍ତରୀଣ ବ୍ୟାସ ତଥା ୨୮ଟି ସ୍ଫେରିକାଳ ବଲ ଧାରଣ କ୍ଷମତା ବିଶିଷ୍ଟ ଉକ୍ତ ବିୟରିଙ୍ଗ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏହାର ପରିବର୍ତ୍ତନ ଅତ୍ୟାବଶ୍ୟକ ହୋଇଉଠିଥିଲା ।

ଉପରୋକ୍ତ ବିୟରିଙ୍ଗ ଉପଲବ୍ଧ ନଥିବା ତଥା ଏକ ନୂତନ ବିୟରିଙ୍ଗ କ୍ରୟ ନିମନ୍ତେ ୩ ରୁ ୫ ମାସ ସମୟ ଲାଗିବାକୁ ଦୃଷ୍ଟିରେ ରଖି ଏହାର ବିକାଶ ସାଧନର ଆହ୍ୱାନମୂଳକ କାର୍ଯ୍ୟ ସପ୍ସ କମ୍ଲେକ୍ସ ବିଭାଗ ଉପରେ ନ୍ୟସ୍ତ କରାଯାଇଥିଲା । ବିଭାଗୀୟ ସାମୁଦାୟିକ ସମୁଚିତ ମାନସମନ୍ଥନ ପରେ ଏହି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରିଥିଲେ । ତଦନୁଯାୟୀ ଉକ୍ତ କାର୍ଯ୍ୟର ଡ୍ରଇଂ ପ୍ରସ୍ତୁତ କରାଯାଇଥିଲା ଏବଂ ଇନର ରେସ ଓ ଆଉଟର ରେସ କେଜକୁ ଗ୍ୟାସ କଟିଂ ଓ ସିଏନସି ଲେଦ ମେସିନରେ ମେସିନିଙ୍ଗ ସମ୍ପନ୍ନ କରି ତିଆରି କରାଯାଇଥିଲା । ନିର୍ଦ୍ଧାରିତ ସାଇଜର ସ୍ଫେରିକଲ ବଲ ଉପଲବ୍ଧ ନଥିବାର ପରିପ୍ରେକ୍ଷୀରେ ହଟ ଷ୍ଟ୍ରିପ ମିଲରେ ବ୍ୟବହୃତ ହୋଇଥିବା ବିୟରିଙ୍ଗରୁ ଉତ୍ତମ ଅବସ୍ଥାରେ ଥିବା ସ୍ଫେରିକଲ ବଲ ଯୋଗାଡ କରାଯାଇଥିଲା ।

ଇନର ରେସ ଓ ଆଉଟର ରେସ ମଧ୍ୟରେ ବଲଗୁହିକର ସୂଚାରୁ ଗତିଶୀଳତା ପରୀକ୍ଷା କରାଯାଇଥିଲା ଯାହା ସନ୍ତୁଷ୍ଟିଜନକ ଥିଲା । ସ୍କୋଡା ମେସିନ ଉପଯୋଗ କରି କେଜକୁ ଦୁଇ ଭାଗରେ ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଯନ୍ତ୍ରାଂଶକୁ ସଂଯୋଗ କରାଯିବା ସହିତ ଏହାର ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଉକ୍ତ ବିୟରିଙ୍ଗ ସଫଳତା ସହକାରେ ସ୍ଥାପନା କରାଯିବା ସହିତ ଏହା ସନ୍ତୋଷଜନକ ରୂପେ କାର୍ଯ୍ୟ କରୁଥିବା ଜଣାଯାଇଥିଲା । ଏହି କାର୍ଯ୍ୟ ଆରଏସପି ସାମୁଦାୟିକଙ୍କ ସୂକ୍ଷ୍ମ କାର୍ଯ୍ୟ ଦକ୍ଷତା ଓ ଦୃଢ ପ୍ରତିବଦ୍ଧତାର ଅନ୍ୟ ଏକ ଉଦାହରଣ ଅଟେ । ଏହି ପ୍ରଶଂସନୀୟ କାର୍ଯ୍ୟକୁ ମେକାନିକାଲ ସପ ବିଭାଗରେ ସିନିୟର ଟେକନିସିଆନ କମ ସିନିୟର ଅପରେଟର ରୂପେ କାର୍ଯ୍ୟରତ ଶ୍ରୀ ଆର କେ ସୁତାର, ଶ୍ରୀ ଏସ ଜେନା, ଶ୍ରୀ ପି ଏମ ସାହୁ, ଶ୍ରୀ ଏସ କିଷାନ, ଶ୍ରୀ ଏସ ଦେ, ଶ୍ରୀ ଏ କେ ପରିଜା ଓ ଶ୍ରୀ ଏସ କେ ପାତ୍ର ସମ୍ପାଦିତ କରିଥିଲେ ।

By amfnews

Related Post