Sat. Jan 11th, 2025

ଆରଏସପି ଆନୁକୂଲ୍ୟରେ ବିଶ୍ରା ବ୍ଲକରେ ଆୟୋଜିତ ଜୋନସ୍ତରୀୟ ଲୋକସାଂସ୍କୃତିକ ମହୋତ୍ସବରେ ୩୦ ନୃତ୍ୟଦଳର ଅଂଶଗ୍ରହଣ

By amfnews Jan 13, 2019 #Featured
226 Views

ରାଉରକେଲା, ଜାନୁଆରୀ ୧୩ : ରାଉରକେଲା ଇସ୍ପାତ କାରଖାନାର ସିଏସଆର ବିଭାଗ ଦ୍ୱାରା ବିଶ୍ରା ବ୍ଲକ ଅନ୍ତର୍ଗତ ଦଳପୋଷ ଠାରେ ଜାନୁଆରୀ ୯ ତାରିଖରେ ଆୟୋଜିତ ଜୋନସ୍ତରୀୟ ‘ସିନର୍ଜି ଲୋକସାଂସ୍କୃତିକ ମହୋତ୍ସବ’ରେ ବିଭିନ୍ନ ଗାଁଆର ୩୦ଟି ନୃତ୍ୟ ଦଳ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ଏହାର ଉଦ୍ଯାପନୀ ଉତ୍ସବରେ ଆରଏସପି ସହର ପ୍ରଶାସନ ଓ ସିଏସ୍ଆର୍ ବିଭାଗ ଜିଏମ୍ ଅଜୟ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ରୂପେ ସହରସେବା ବିଭାଗ ଡିଜିଏମ୍ ଇନ୍ଚାର୍ଜ ପି. ସି. ଦାସ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ନାୟକ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ନିମନ୍ତେ ଆର୍ଏସ୍ପି ଦ୍ୱାରା ଗ୍ରହଣ କରାଯାଉଥିବା ଏଭଳି ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ନୃତ୍ୟଦଳ ଗୁଡିକର ଉତ୍ସାହକୁ ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ସିଏସ୍ଆର୍ ବିଭାଗ ଡିଜିଏମ୍ ଇନ୍ଚାର୍ଜ ପବିତ୍ର ମୋହନ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଭାଗର ଏଜିଏମ୍ ସୁଶ୍ରୀ ମୁନ୍ମୁନ୍ ମିତ୍ରା ଧନ୍ୟବାଦ ଦେଇଥିଲେ ।

ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନୃତ୍ୟ ଦଳଗୁଡିକୁ ଶ୍ରୀ ନାୟକ ପୁରସ୍କାର ପ୍ରଦାନ କରିଥିଲେ । ଦଳପୋଷ ଗାଁଆ ପ୍ରଥମ ପୁରସ୍କାର ଆକାରରେ ୫ ହଜାର ଟଙ୍କା ପୁରସ୍କାର ରାଶି ଏବଂ ଟ୍ରଫି ଲାଭ କରିଥିବା ବେଳେ ସରୁଆବାହଲ ନୂଆଟୋଲି ଗାଁଆର ନୃତ୍ୟଦଳ ଦ୍ୱିତୀୟ ପୁରସ୍କାର ରୂପେ ୪ ହଜାର ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ଲାଭ କରିଥିଲେ ।

ଉଡୁସୁ କେନ୍ଦୁଟୋଲି ଗାଁଆର ନୃତ୍ୟ ଦଳ ତୃତୀୟ ପୁରସ୍କାର ଆକାରରେ ୩ ହଜାର ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ଲାଭ କରିଥିଲେ । ଅଂଶଗ୍ରହଣକାରୀ ଅବଶିଷ୍ଟ ୨୭ଟି ଦଳଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ରୂପେ ପ୍ରତ୍ୟେକ ଦଳକୁ ୧୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ନୃତ୍ୟ ଉତ୍ସବ ଦଳପୋଷ ଗ୍ରାମର ସୁମନ ନାମକ ମହିଳା ସଂଶୋଧନ କେନ୍ଦ୍ର ସହଯୋଗରେ ଆରଏସପି ସିଏସଆର ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଆର୍ଏସ୍ପି ଏହାର ସିଏସ୍ଆର୍ ପ୍ରୟାସ ଅନ୍ତର୍ଗତ ‘ସିନର୍ଜି ଲୋକ ସାଂସ୍କୃତିକ ମହୋତ୍ସବ’ ପ୍ରତ୍ୟେକ ବର୍ଷ ଆୟୋଜନ କରୁଛି । ଏହି ପ୍ରୟାସ ଅନ୍ତର୍ଗତ ଚାରିଟି ବ୍ଲକରେ ଜୋନସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ଏବଂ ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ରାଉରକେଲାରେ ଅନୁଷ୍ଠିତ ହେବ ।

By amfnews

Related Post