Fri. Mar 6th, 2026

ଆରଏସପି ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ୟୁଥ ବାସ୍କେଟବଲ ଚମ୍ପିୟାନସିପ-୨୦୧୮ ଉଦ୍ଘାଟିତ

363 Views

ରାଉରକେଲା, ୧୦/୯  : ରାଉରକେଲା ଇସ୍ପାତ କାରଖାନାର କ୍ରୀଡା ବିଭାଗ ଦ୍ୱାରା ଓଡିଶା ବାସ୍କେଟବଲ ଆସୋସିଏସନ ସହଭାଗିତାରେ ଅନୁଷ୍ଠିତ ରାଜ୍ୟ ୟୁଥ ବାସ୍କେଟବଲ ଚମ୍ପିୟାନସିପ-୨୦୧୮ ସେପ୍ଟେମ୍ବର ୬ ତାରିଖରେ ଇସ୍ପାତ ବାସ୍କେଟବଲ କମ୍ପେ୍ଲକ୍ସଠାରେ ଆରମ୍ଭ ହୋଇଛି । ଏହାର ଉଦଘାଟନୀ ସମାରୋହରେ ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗ ଇଡି ପି.କେ. ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସହର ପ୍ରଶାସନ ବିଭାଗ ଜିଏମ ଏନ୍. କେ. ସାମନ୍ତରାୟ, ଓଡିଶା ବାସ୍କେଟବଲ ଆସୋସିଏସନର ସଭାପତି ଏ. କେ. ସାହୁ ଏବଂ ବିଶିଷ୍ଟ କ୍ରୀଡାବିତ ପି. ଗନ୍ତାୟତ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ ।

ଶ୍ରୀ ପ୍ରଧାନ କ୍ରୀଡା ପତାକା ଉତ୍ତୋଳନ କରିବା ସହିତ ପ୍ରତିଯୋଗିତା ଆରମ୍ଭ ଘୋଷଣା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଯୋଗିତା ରାଉରକେଲାରେ ଆୟୋଜିତ ହେବାକୁ ନେଇ ଆନନ୍ଦବ୍ୟକ୍ତ କରିଥିଲେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ସୂଚାରୁ ଭାବେ ଆୟୋଜନ ନିମନ୍ତେ ସମସ୍ତ ଭିତ୍ତିଭୂମି ଓ ସୁବିଧା ଉପଲବ୍ଧ ପାଇଁ ଆରଏସପି କ୍ରୀଡା ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ । ବ୍ୟକ୍ତିତ୍ୱ ଓ ଶୃଙ୍ଖଳା ବିକାଶରେ କ୍ରୀଡାକୁ ଏକ ପ୍ରମୁଖ ସାଧନ ରୂପେ ବର୍ଣ୍ଣନା କରି ଶ୍ରୀ ପ୍ରଧାନ ଯୁବ ପ୍ରତିଭାମାନଙ୍କୁ ସେମାନଙ୍କ ଶ୍ରେଷ୍ଠ କ୍ରୀଡା ଦକ୍ଷତା ପ୍ରଦର୍ଶନ ତଥା ଉଚ୍ଚ ଖେଳୁଆଡ ମନୋଭାବ ନେଇ ଖେଳିବା ପାଇଁ ଆହ୍ୱାନ ଜଣାଇଥିଲେ ।

ନିଜର ଅଭିଭାଷଣରେ ଶ୍ରୀ ସାମନ୍ତରାୟ ଇସ୍ପାତ ସାର୍ବଜନୀକ ପ୍ରତିଷ୍ଠାନଗୁଡିକ ନିମନ୍ତେ ଘୋଷିତ କ୍ରୀଡାନୀତି ସମ୍ପର୍କରେ ଆଲୋକପାତ କରିଥିଲେ । ଏଭଳି ପ୍ରତିଯୋଗିତାର ଆୟୋଜନ ଉଦୀୟମାନ ଯୁବପ୍ରତିଭାଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ତଥା ସେମାନଙ୍କୁ ଆବଶ୍ୟକୀୟ ତାଲିମ ଓ ପୃଷ୍ଟପୋଷଣ ପ୍ରଦାନ କରାଯାଇପାରିବ ଯଦ୍ଦ୍ୱାରା ସୋମାନେ ଦେଶ ପାଇଁ ସୁନାମ ଅର୍ଜ୍ଜନ କରିବେ ବୋଲି ସେ ଉଲ୍ଲେଖ କରିଥିଲେ । ଶ୍ରୀ ସାହୁ ନିଜର ବକ୍ତବ୍ୟରେ ରାଜ୍ୟର ବିଭିନ୍ନ ଭାଗରୁ ପିଲାମାନେ ଅଂଶଗ୍ରହଣ କରୁଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ନିମନ୍ତେ ଆରଏସପିକୁ କୃତଜ୍ଞତା ଜଣାଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କୁ ଅଂଶଗ୍ରହଣକାରୀ ଯୁବଖେଳାଳୀମାନଙ୍କ ସହିତ ପରିଚୟ କରାଯାଇଥିଲା ।

ଉଲ୍ଲେଖନୀୟ ଯେ, ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୮ଟି ବାଳକ ଓ ୮ଟି ବାଳିକା ଦଳରେ ୩୦୦ରୁ ଉଦ୍ଧ୍ୱର୍ ଖେଳାଳୀ ଅଂଶଗ୍ରହଣ କରୁଛନ୍ତି । ଏହି ପ୍ରତିଯୋଗିତା ସେପ୍ଟେମ୍ବର ୯ ତାରିଖରେ ଉଦଯାପିତ ହେବ । କ୍ରୀଡା ବିଭାଗର ଡିଜିଏମ ହିରାଲାଲ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଇ. ଏ. ସିଦ୍ଦିକି ଓ ନିରଞ୍ଜନ ସାମଲ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

Related Post