Wed. Dec 25th, 2024

ଆରଏସପିର ଆଇଜିଏଚ୍ରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ମେଡିକାଲ ଆଟେଣ୍ଡାଣ୍ଟ ତାଲିମ ପ୍ରଦାନ

By amfnews Sep 6, 2018 #Featured
174 Views

ରାଉରକେଲା, ୬ା୯  : ରାଉରକେଲା ଇସ୍ପାତ କାରଖାନାର ଆଇଜିଏଚ୍ ଠାରେ ୬୪ ଜଣ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏକ ବର୍ଷିଆ ମେଡିକାଲ ଆଟେଣ୍ଡାଣ୍ଟ ତାଲିମ ପ୍ରଦାନ କରାଯାଇଛି । ଏହାଥିଲା ଏହି ତାଲିମ ହାସଲ କରିଥିବା ଷଷ୍ଠ ବ୍ୟାଚ୍ । ସୂଚନାଯୋଗ୍ୟ ଯେ, ଆରଏସପିର ପ୍ରୟାସ ଆନୁକୂଲ୍ୟରେ ଏହି ରୋଜଗାର ଭିତ୍ତିକ ତାଲିମ ଯୋଜନା ୨୦୧୩-୧୪ ମସିହାରେ ଶୁଭାରମ୍ଭ ହୋଇଥିଲା । ପାଶ୍ୱର୍ାଞ୍ଚଳ ଗ୍ରାମ, ରିସେଟେଲମେଣ୍ଟ କଲୋନୀ ଏବଂ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ ଅଞ୍ଚଳର ଯୁକ୍ତ ଦୁଇ ପାସ ହୋଇଥିବା ୩୬୮ ଜଣ ସ୍ଥାନୀୟ ଯୁବକ ଯୁବତୀ ଏ ଯାଏଁ ଏହି ଯୋଜନାରୁ ଲାଭାନ୍ୱିତ ହୋଇଛନ୍ତି । ଏହି ତାଲିମରେ ଶିକ୍ଷାର୍ଥୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା, ଫାଷ୍ଟ-ଏଡ, ରୋଗୀମାନଙ୍କ ସହ ବାର୍ତ୍ତାଳାପ, ରୋଗୀମାନଙ୍କ ସ୍ଥାନ ପରିବର୍ତ୍ତନ, ଡାଟା ରକ୍ଷଣାବେକ୍ଷଣ ତଥା ଅନ୍ୟ ଆନୁସଙ୍ଗିକ ରୋଗୀସେବା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

ଆଇଜିଏଚ୍ର ୪-୫ଟି ବିଭାଗରେ ମଧ୍ୟ ଏହି ଶିକ୍ଷାର୍ଥୀମାନେ କାମ କରିବାର ସୁଯୋଗ ପାଇଥିଲେ । ତାଲିମ ସମୟରେ ପ୍ରତ୍ୟେକଙ୍କୁ ପ୍ରତିମାସରେ ୫ ହଜାର ୫୦୦ ଟଙ୍କା ଷ୍ଟାଇପେଣ୍ଡ ଆକାରରେ ପ୍ରଦାନ କରାଯିବ । ଉକ୍ତ ତାଲିମ ଫଳରେ ଏହି ଯୁବକ ଯୁବତୀମାନେ ହସ୍ପିଟାଲ, ନର୍ସିଂ ହୋମ ଏବଂ କ୍ଲିନିକଗୁଡିକରେ ନିଯୁକ୍ତି ପାଇବା ପାଇଁ ସୁଯୋଗ ପାଇଥାନ୍ତି । ସେପ୍ଟେମ୍ବର ୩ ତାରିଖରେ ଆଇଜିଏଚ୍ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡାକ୍ତର ଏସ୍ଏସ୍ପତି, ସିଏସ୍ଆର ବିଭାଗ ଡିଜିଏମ ଇନଚାର୍ଜ ପି. ଏମ୍. ବେହେରା, ସିନିୟର ଡେପୁଟି ଡାଇରେକ୍ଟର ଡାକ୍ତର ଆର୍. ଆର୍. ମହାନ୍ତି, ସିନିୟର ଡେପୁଟି ଡାଇରେକ୍ଟର ଇନଚାର୍ଜ ଡାକ୍ତର ଜେ. କେ. ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ । ନିଜର ଅଭିଭାଷଣରେ ଡାକ୍ତର ପତି ସଫଳତାର ସହ ତାଲିମ ସମାପନ କରିଥିବା ଟ୍ରେନିଜମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଇଜିଏଚ୍ ଏବଂ ସିଏସ୍ଆର ବିଭାଗ ପ୍ରୟାସରେ ଅନୁଷ୍ଠିତ ଏହି ତାଲିମ ‘କୌଶଳ ଭାରତ’ ଯୋଜନାର ଅନୁରୂପ ବୋଲି କହିଥିଲେ ।

ଏହି ଅବସରରେ ଶ୍ରୀ ବେହେରା ଏବଂ ଡାକ୍ତର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବତାରଣା କରିବା ସମେତ ଟ୍ରେନିଜମାନଙ୍କର ସଫଳ ଭବିଷ୍ୟତ କାମନା କରିଥିଲେ । ପ୍ରାରମ୍ଭରେ କାର୍ମିକ ବିଭାଗ ମ୍ୟାନେଜର ଏସ୍. ବିଶ୍ୱାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ହସ୍ପିଟାଲ ସେବା ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ଆର୍. କେ. ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଡେଣ୍ଟାଲ ବିଭାଗର ଡେପୁଟି ମ୍ୟାନେଜର ସି.ଏସ୍. ବହିରମନ ସାର୍ଟିଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

By amfnews

Related Post