Wed. Dec 25th, 2024

ଆରଏସପିରେ ତକ୍ରାଳ ସ୍ୱୀକୃତି ପୁରସ୍କାର ଯୋଜନା ଅନ୍ତର୍ଗତ ଠିକାଶ୍ରମିକ ପୁରସ୍କୃତ

By amfnews Nov 21, 2018 #Featured
144 Views

ରାଉରକେଲା, ୨୧/୧୧ : ରାଉରକେଲା ଇସ୍ପାତ କାରଖାନାରେ ଓର୍ ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଲାଣ୍ଟ ବିଭାଗରେ ନଭେମ୍ବର ୧୫ ତାରିଖରେ ଆୟୋଜିତ ଏକ ତକ୍ରାଳ ସ୍ୱୀକୃତି ପୁରସ୍କାର ଉତ୍ସବରେ ଓବିବିପି ବିଭାଗର ଜିଏମ ଏ. ମିଶ୍ର, ମେସର୍ସ ଅମୃତ ଏଣ୍ଟରପ୍ରାଇଜେସର ୧୦ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ ପ୍ରୟାସ ନିମନ୍ତେ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଭାଗର ଡିଜିଏମ ପି. କେ. ଦାସ, ଏଜିଏମ ଏ. କେ. କାର୍କୁନ ଏବଂ ଡେପୁଟି ମ୍ୟାନେଜର ଏସ୍. ଭଞ୍ଜଦେଓ ଉପସ୍ଥିତ ଥିଲେ । ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ମିଶ୍ର ଠିକାଶ୍ରମିକ ଓ ଠିକାଦାରଙ୍କୁ ସେମାନଙ୍କର ଉଦାହରଣୀୟ ପ୍ରୟାସ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ଏବଂ ଅନୁରୂପ ଉତ୍ସାହ ସହକାରେ ନିଜର କାର୍ଯ୍ୟଧାରା ଜାରି ରଖିବା ପାଇଁ ଆହ୍ୱାନ ଜଣାଇଥିଲେ ।

ଉଲ୍ଲେଖନୀୟ ଯେ, ମେଷର୍ସ ଅମୃତ ଏଣ୍ଟରପ୍ରାଇଜେସର ଏହି ୧୦ ଜଣ ଠିକା ଶ୍ରମିକ ଜାମ ହୋଇଥିବା ବଙ୍କରରୁ ଜାମିଙ୍ଗ ସଫା କରିବା କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସାଧାରଣତଃ ବର୍ଷା ଦିନରେ ଆଇରନ ଓର ଫାଇନ ଟ୍ରାକ ହପର ଓ ଓଦା ଆଇରନ ଓର ଯୋଗୁଁ ଜାମ ହୋଇଯାଇଥାଏ । ଏହାର ନିରାକରଣର ପ୍ରୟାସ ସ୍ୱରୂପ ଉପରୋକ୍ତ ଠିକା ଶ୍ରମିକଙ୍କ ସହାୟତାରେ କମ୍ପ୍ରେସଡ ଏୟାର ଲାଇନକୁ ଅଣ୍ଡରଗ୍ରାଉଣ୍ଡ ପର୍ଯ୍ୟନ୍ତ ବିଛାଯାଇଥିଲା ।

ଏହା ହପର ମଧ୍ୟରେ କମ୍ପ୍ରେସଡ ଏୟାର ଯୋଗେ ପୋକିଙ୍ଗ କରିବା ପାଇଁ ସହାୟକ ହୋଇଥିଲା । ଏଥିସହିତ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଡିସଚାର୍ଜ ପଏଣ୍ଟରେ କ୍ଲିନିଙ୍ଗ ନିମନ୍ତେ ହାଇ ପ୍ରେସର ପମ୍ପକୁ ଭୂତଳରେ ସ୍ଥାପନ କରିବା କ୍ଷେତ୍ରରେ ମଧ୍ୟ ପୁରସ୍କୃତ ଠିକା ଶ୍ରମିକମାନେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଏହି ପ୍ରୟାସଗୁଡିକ ଫଳରେ ମାତ୍ର ୧୫ ଦିନ ମଧ୍ୟରେ ବଙ୍କରଗୁଡିକ ସଫା ହୋଇପାରିଥିଲା । ଯାହାର ଫଳସ୍ୱରୂପ ଅକ୍ଟୋବର ୧୫ ତାରିଖରେ ସର୍ବାଧିକ ୫୫୬ଟି ୱାଗନ ଅନଲୋଡିଙ୍ଗ ହୋଇପାରିଥିଲା ।

ପରେପରେ ଅକ୍ଟୋବର ୧୭ ତାରିଖରେ ୬୦୮ ୱାଗନ ଅନଲୋଡିଙ୍ଗ ପୂର୍ବକ ଏହି ରେକର୍ଡରେ ଉନ୍ନତି ଆଣି ବିଭାଗ ୬୦୮ଟି ୱାଗନ ଅନଲୋଡିଙ୍ଗ କରିଥିଲେ । ଏହାର ଫଳସ୍ୱରୂପ ବିଭାଗ ଆଲୋଚ୍ୟ ମାସରେ ଡେମୁରେଜକୁ ବହୁଳ ରୂପେ ହ୍ରାସ କରିପାରିଥିଲା । ପ୍ରାରମ୍ଭରେ କାର୍ମିକ ଠିକା ସେଲ ଓ ପ୍ରକଳ୍ପ ବିଭାଗର ଡିଜିଏମ ଶ୍ରୀ ଟି ଜି କାନେକର ଏହି ଯୋଜନା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ବିବରଣୀ ରଖିଥିଲେ ।

ଓବିବିପି ବିଭାଗର ଏଜିଏମ ଶ୍ରୀ ଏ କେ ପି ବାର୍ଲା ପୁରସ୍କୃତ ଠିକା ଶ୍ରମିକଙ୍କ ପ୍ରୟାସ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରିଥିଲେ । ବିଭାଗର ଏଜିଏମ ଶ୍ରୀ ଏସ ସି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୪ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଆରଏସପିର ବିଭିନ୍ନ ବିଭାଗର ୨୨୯ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଅଛି ।

By amfnews

Related Post