Sun. Nov 24th, 2024

ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ପ୍ରୟାସର ଅନ୍ୟ ଏକ ଅଧିବେଶନ ଅନୁଷ୍ଠିତ

rklsanchar@gmail.com' By J.N. Pradhan Aug 11, 2018 #Featured
145 Views

ରାଉରକେଲା, ୧୧/୮ : ‘ପ୍ରୟାସ’ର ୨୫୪ତମ ଅଧିବେଶନ ଜୁଲାଇ ୩୦ ତାରିଖରେ ରାଉରକେଲା ଇସ୍ପାତ କାରଖାନାର ଏଚଆରଡି ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୩୭ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ । ମତବିନିମୟ କାର୍ଯ୍ୟକ୍ରମରେ କାର୍ମିକ ଠିକା ଶ୍ରମିକ ସେଲ ଓ ପ୍ରକଳ୍ପ ବିଭାଗର ଡିଜିଏମ ଶ୍ରୀ ଟି ଜି କାନେକର ବିଭିନ୍ନ ସୁବିଧା ସୁଯୋଗ ତଥା ନିର୍ଦ୍ଧାରିତ ମାନଦଣ୍ଡ ଯଥା ଇଏସଆଇ ଏବଂ ଭବିଷ୍ୟନିଥି ପାଣ୍ଠି ଇତ୍ୟାଦି ସମ୍ବନ୍ଧରେ ଠିକାଶ୍ରମିକଙ୍କର ବିଭିନ୍ନ ଦ୍ୱନ୍ଦ୍ୱ ଦୂର କରିଥିଲେ ।

କାର୍ମିକ ସିଏଲସି ବିଭାଗର ଶ୍ରମ ନିରିକ୍ଷକ ଟି.ଏ.କେ. ପାତ୍ର ଠିକା ଶ୍ରମିକଙ୍କୁ ସେମାନଙ୍କର ଅଧିକାରୀ, ଲାଭାଦି ସୁବିଧା, ଦାୟିତ୍ୱ, ମଜୁରୀ ଢାଞ୍ଚା, ବ୍ୟାଙ୍କ ଜରିଆରେ ମଜୁରୀ ପ୍ରଦାନ, ପେ ସ୍ଲିପ ଏବଂ ମେଡିକାଲ ସୁବିଧା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ସେମାନଙ୍କୁ ସୁରକ୍ଷିତ କାର୍ଯ୍ୟ ସଂସ୍କୃତି ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଥିଲା । ସିଏଲସି କାର୍ମିକ ବିଭାଗର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ସୁଶ୍ରୀ ମଧୁସ୍ମିତା ମିଶ୍ର ଏସଏ ୮୦୦୦ର ବିଭିନ୍ନ ପ୍ରାବଧାନ ଯଥା ଶିଶୁ ଶ୍ରମିକ, ଗୋତି ଶ୍ରମିକ, ସ୍ୱାସ୍ଥ୍ୟର ପ୍ରାବଧାନ ଓ ଅଧିକାର, ଅବହେଳା, କାର୍ଯ୍ୟ ନିର୍ଘଣ୍ଟ, ସୁରକ୍ଷା, ମଜୁରୀ ଏବଂ ଅପମାନଜନକ ଭାଷା ଆଦି ବିଷୟରେ ତଥ୍ୟ ଉପସ୍ଥାପିତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ କାର୍ମିକ ବିଭାଗର ଡେପୁଟି ମ୍ୟାନେଜର ଶ୍ରୀ ଅବିନାଶ ପରିଚାଳନା କରିଥିଲେ । ବିଭାଗର ଶ୍ରମ ନିରିକ୍ଷକ ଶ୍ରୀ ବି ସି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଯେ, ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ‘ପ୍ରୟାସ’ ଆରଏସପି ଦ୍ୱାରା ଆୟୋଜିତ ଏକ ଯୋଗାଯୋଗ ବୈଠକ ଅଟେ । ଏଥିରେ ଠିକା ଶ୍ରମିକମାନଙ୍କୁ ସେମାନଙ୍କ କଲ୍ୟାଣମୂଳକ ଯୋଜନା ବିଷୟଗୁଡିକ ସମ୍ବନ୍ଧରେ ବିଭିନ୍ନ ପ୍ରାବଧାନ ଓ ନିୟମାବଳୀ ବିଷୟରେ ପ୍ରାଞ୍ଜଳ ରୂପେ ଅବଗତ କରାଯାଇଥାଏ । ଅଦ୍ୟାବଧି ଏହି ପ୍ରୟାସ ଅଧୀନରେ ୧୧୬୪ ଜଣ ଠିକା ଶ୍ରମିକ କାର୍ଯ୍ୟକ୍ରମରେ ଭାଗ ନେଇସାରିଛନ୍ତି ।

Related Post