Fri. Mar 6th, 2026

ଆମ୍ବୁଲାନ୍ସ ଯାଉଥିଲା, ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

180 Views

ଭୁବନେଶ୍ୱର : ସମୟ ରାତି ପ୍ରାୟ ୭ଟା ୪୫। ମୁଖ୍ୟମନ୍ତ୍ରୀଙ୍କ କାରକେଡ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ  ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା।  ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। କିନ୍ତୁ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ପହଞ୍ଚି ସାରିଥିବା ବେଳେ ଆମ୍ବୁଲାନ୍ସ ସାଇରନ ବାଜିଲା। ଫଳରେ ରାସ୍ତାରେ କିଛି କ୍ଷଣ ଅଟକିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଆମ୍ବଲାନ୍ସଟି ଯାଉଥିଲା। ଏହି ସମୟରେ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ମଧ୍ୟ ପହଞ୍ଚି ଯାଇଥିଲା। କିନ୍ତୁ ଟ୍ରାଫିକ ଦାୟିତ୍ୱରେ ଥିବା କନଷ୍ଟେବଳ ଆମ୍ବୁଲାନ୍ସକୁ ଗୁରୁତ୍ୱ ଦେଇ କାରକେଡକୁ ଅଟକାଇଥିଲେ । ଆମ୍ବୁଲାନ୍ସ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯାଇଥିଲା।

ରାଜଧାନୀର ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ଯୋଗୁ ଆମ୍ବୁଲାନ୍ସ ଫସୁଥିବା ବେଳେ ଏହାକୁ ପ୍ରାଥମିକତା ଦେଇ ରାସ୍ତା ଛାଡ଼ିବାକୁ ଟ୍ୱିନସିଟଇ କମିଶନର ଓ ଟ୍ରାଫିକ ଡିସିପି ସବୁବେଳେ ଜନସାଧାରଣଙ୍କ ନିକଟରେ ଅପିଲ କରୁଛନ୍ତି। ଏପରି କ୍ଷେତ୍ରରେ ରୋଗୀର ଜୀବନକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାସ୍ତାରେ ଅଟକିଯିବା ସାଧାରଣ ଜନତାଙ୍କ ପାଇଁ ଏକ ଉଦାହରଣ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରରେ ଏକ ଆମ୍ବୁଲାନ୍ସ ଟ୍ରାଫିକ୍‌ରେ ଫସି ଯିବାରୁ  ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଟ୍ରାଫିକ ପରିଚାଳନା ଉପରେ ଅଙ୍ଗୁଳି ଉଠାଇଥିଲେ ସାଧାରଣ ଲୋକେ।

By amfnews

Related Post