Wed. Mar 11th, 2026

ଆବଶ୍ୟକ ହେଲେ ଜମ୍ମୁ ଓ କଶ୍ମୀର ହାଇକୋର୍ଟକୁ ଯିବି: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

240 Views

ନୂଆଦିଲ୍ଲୀ : ସୋମବାର ଦିନ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ ଲୋକେ ନ୍ୟାୟାଳୟକୁ ଯାଇ ପାରୁ ନାହାନ୍ତି ବୋଲି ହୋଇଥିବା ଅଭିଯୋଗ ବିଷୟରେ ମୁଖ୍ୟ ବିଚାରପତିଙ୍କ ସହ କଥାବାର୍ତ୍ତା କରିବାକୁ ସେ ଜମ୍ମୁ ଓ କଶ୍ମୀର ହାଇକୋର୍ଟକୁ ଯିବେ।

ହାଇକୋର୍ଟକୁ ନ ଯାଇ ପାରିବା କଥାଟି ଗୁରୁତର ହୋଇଛି। ଏ ସଂକ୍ରାନ୍ତରେ ଆମେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଜବାବ ଚାହିଁଛୁ। ଯଦି ଆବଶ୍ୟକ ପଡ଼େ, ମୁଁ ହାଇକୋର୍ଟକୁ ଯାଇ ମୁଖ୍ୟ ବିଚାରପତିଙ୍କ ସହ କଥାବାର୍ତ୍ତା କରିବି। ଯଦି ଲୋକେ ହାଇକୋର୍ଟକୁ ଯାଇ ପାରୁ ନାହାନ୍ତି, ତେବେ ଆମକୁ କିଛି କରିବାକୁ ପଡ଼ିବ ବୋଲି ଗୋଗୋଇ କହିଛନ୍ତି। ଶୁଣାଣି ସମୟରେ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର୍‌ ଜେନେରାଲ୍‌ କେକେ ବେଣୁଗୋପାଳ କହିଛନ୍ତି କି, ଲୋକ ଅଦାଲତ ସମେତ ଜମ୍ମୁ ଓ କଶ୍ମୀରରେ ସମସ୍ତ ଅଦାଲତରେ କାର୍ଯ୍ୟ ଚାଲୁଛି।

ଯଥା ଶୀଘ୍ର ସମ୍ଭବ କଶ୍ମୀର ଉପତ୍ୟକାରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରିବାକୁ କେନ୍ଦ୍ର ସରକାରଙ୍କୁ ଶୀର୍ଷ ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସ୍‌ଏ ବବ୍‌ଦେ ଓ ଏସ୍‌ ଏ ନଜୀରଙ୍କ ଖଣ୍ଡପୀଠ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା କଟକଣା ସଂକ୍ରାନ୍ତ ପିଟିସନ୍‌ର ଶୁଣାଣି କରୁଥିଲେ। ଜଷ୍ଟିସ୍‌ ବବଦେ କହିଲେ: ସଟ୍‌ ଡାଉନ୍‌ କ’ଣ ଓ କାହିଁକି ବୋଲି ଆମେ ଜାଣିବାକୁ ଚାହୁଁଛୁ। ସେଠାରେ କିଛି ବିଚ୍ୟୁତି ଘଟିଛି। ଏ କାମ କିଏ ଏବଂ କେଉଁ କାରଣରୁ କରିଛି?

ବେଣୁଗୋପାଳ କହିଲେ ଯେ କଶ୍ମୀରରୁ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପରିକ୍ରମା କରୁଛି। ବିନା କଟକଣାରେ ଉପତ୍ୟକାରୁ ପ୍ରକାଶିତ ଖବରକାଗଜରେ ତାହା ପ୍ରକାଶିତ ହେଉଛି। ଏ ସଂକ୍ରାନ୍ତରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସବିଶେଷ ବିବରଣୀ ଉଲ୍ଲେଖ କରି ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠ ବେଣୁଗୋପାଳଙ୍କୁ କହିଛନ୍ତି।

By amfnews

Related Post