Wed. Mar 11th, 2026

ଆପ୍ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼; ଜଣେ କର୍ମୀଙ୍କ ମୃତ୍ୟୁ

554 Views

ନୂଆଦିଲ୍ଲୀ  :   ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍) ପୁଣି ବାଜି ମାରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଶୋକ ମନ। ଏଥିରେ ଆଉ ଜଣେ କର୍ମୀ ଆହତ ହୋଇଥିବା ବେଳେ ନବନିର୍ବାଚିତ ବିଧାୟକ ନରେଶ ଯାଦବ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁଯାୟୀ, ନିର୍ବାଚନରେ ବିଜୟ ପରେ ନରେଶ ଯାଦବ ଗତକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ମେହରୌଲୀର ଏକ ମନ୍ଦିରରୁ ଦର୍ଶନ ସାରି ସମର୍ଥକଙ୍କ ସହିତ ଫେରୁଥିବା ବେଳେ ତାଙ୍କ କାଫଲା ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତମାନେ ପାଖାପାଖି ୭ ରାଉଣ୍ଡ ଗୁଳି ଚଳାଇଥିଲେ। ଦକ୍ଷିଣ ଦିଲ୍ଲୀର କିଶନଗଡ଼ ଗାଁ ନିକଟରେ ଏହି ଘଟଣା ଘଟିଥିଲା ବେଳେ ବିଧାୟକଙ୍କ ଗାଡ଼ିରେ ବି ଗୁଳି ବାଜିଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଆପ୍‌ ନେତା ସଞ୍ଜୟ ସିଂହ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଘଟଣାରେ ଅଶୋକ ମନ ନାମକ ଜଣେ କର୍ମୀଙ୍କ ମୃତ୍ୟୁ ଘଟିଛି। ତା’ସହିତ ଆଉ ଜଣେ କର୍ମୀ ଆହତ ମଧ୍ୟ ହୋଇଛନ୍ତି।

ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ନବନିର୍ବାଚିତ ବିଧାୟକ ନରେଶ ଯାଦବ କହିଛନ୍ତି ଯେ ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ସେ ଯେଉଁ ଗାଡ଼ିରେ ବସିଥିଲେ ସେଥିରେ ବି ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ର କାରଣ ସମ୍ପର୍କରେ ସେ ବି କିଛି ଜାଣିପାରୁ ନଥିବା କହିଥିବା ବେଳେ ପୁଲିସ୍ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ପୁଲିସ୍ ଠିକ୍ ଭାବେ ତଦନ୍ତ କଲେ ହତ୍ୟାକାରୀମାନେ ନିଶ୍ଚିତ ଧରାପଡ଼ିବେ ବୋଲି ସେ କହିଛନ୍ତି।

By amfnews

Related Post