Sun. Nov 24th, 2024

ଆନ୍ଧ୍ର କବ୍‌ଜାରେ ଓଡ଼ିଶା ଗାଁ

By amfnews Dec 11, 2018 #Featured
341 Views

କୋରାପୁଟ , ଡିସେମ୍ବର ୧୧: ଓଡ଼ିଶାର ଗୋଟିଏ ଗାଁକୁ କବ୍‌ଜା କରି ନେଇଛି ଆନ୍ଧ୍ର। ବିବାଦୀୟ କୋଟିଆ ଅଂଚଳର ଏହି ସୀମାନ୍ତ ଗାଁକୁ ପଡ଼ୋଶୀ ରାଜ୍ୟ ତା’ ମାନଚିତ୍ରରେ ସଂପୂର୍ଣ୍ଣ ମିଶାଇ ସାରିଥିଲା ବେଳେ ଓଡ଼ିଶା ବି ଏହି ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରୁନି। କିନ୍ତୁ କାଗଜପତ୍ର କହୁଛି ଏହି ଗାଁ ଓଡ଼ିଶାର। ଏପରିକି ଏହି ଗାଁର ଜମି କିଣାବିକା ଜୟପୁର ସବ ରେଜିଷ୍ଟାର କାର୍ଯ୍ୟାଳୟରେ ହୋଇଛି। ଏହାର ପ୍ରମାଣ ହାତରେ ଲାଗିବା ପରେ ଏହି ଗାଁକୁ ଫେରାଇ ଆଣିବା ଲାଗି ଦାବି କରିଛି ଆମ କୋଟିଆ ସଂଗଠନ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଛି। ଏଥିନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିଲା ବେଳେ ସ୍ଥିତାବସ୍ଥା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଏହି ବିବାଦୀୟ ତାଲିକାରେ ଯୋଡି ହୋଇ ଯାଇଛି ଆଉ ଗୋଟିଏ ଗାଁ ଡଙ୍କିନି ୟେଲେଗା ବାଲସା। ବିବାଦୀୟ ନେରେଡିବାଲସା ନିକଟରେ ଥିବା ଏହି ଗାଁ ଏବେ ଆନ୍ଧ୍ର ଅଧୀନରେ ରହିଥିଲେ ମଧ୍ୟ ପ୍ରକୃତରେ ଏହା ଓଡ଼ିଶାର ବୋଲି ପ୍ରମାଣ ମିଳିଛି। ମିଳିଥିବା ଦସ୍ତାବିଜ ଅନୁଯାୟୀ, ଏହି ଗାଁର କଣ୍ଡାପାଲି ତାମନଦଖି ନାମକ ଜଣେ ବ୍ୟକ୍ତି ତାଙ୍କର ୨୧ ଏକର ଜମିକୁ ସାଲୁର ଅଂଚଳର ବିଡିକାଲମ ଚିଙ୍ଗନଦଖିଙ୍କୁ ବିକ୍ରି କରିଥିଲେ। ୩ ଶହ ଟଙ୍କା ନେଇ ସେ ଏହି ଜମି ବିକ୍ରୟ କରିଥିଲା ବେଳେ ଏହାର କାଗଜପତ୍ର ଜୟପୁର ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ହୋଇଥିଲା। ଏହି କାଗଜରେ ଲେଖା ହୋଇଛି ଯେ, କୋରାପୁଟ ତାଲୁକା ପଟାଙ୍ଗୀ ଥାନା ଅଧୀନରେ ଏହି ଗାଁ ରହିଛି। ୧୯୫୬ ମସିହା ଏପ୍ରିଲ ୧୬ ତାରିଖରେ ହୋଇଥିବା ଏହି ଜମି କିଣାବିକାର ଷ୍ଟାମ୍ପ ପେପରେ ଉଭୟ ପକ୍ଷଙ୍କ ଦସ୍ତଖତ ମଧ୍ୟ କରିଛନ୍ତି।

ଏହି ଡଙ୍କିନି ୟେଲେଗା ବାଲସା ଗ୍ରାମ ଓଡ଼ିଶାର ବୋଲି ପ୍ରମାଣ ମିଳିଥିବା ବେଳେ ଏହି ଗାଁକୁ ଫେରାଇ ଆଣିବା ପାଇଁ ଓଡ଼ିଶା ଉଦ୍ୟମ କରିନି। ଏପରିକି ଏହା ନିଜର ବୋଲି ଓଡ଼ିଶା ପୂର୍ବରୁ କେବେ ଦାବି ବି କରିନି। କିନ୍ତୁ ଆନ୍ଧ୍ର ଏହାକୁ ବିବାଦୀୟ ଗାଁ ତାଲିକାରେ ରଖିଛି। କେବଳ ଏହି ଗୋଟିଏ ଗାଁ ନୁହେଁ, ବରଂ ଓଡ଼ିଶାର ୪ଟି ଗାଁକୁ ଆନ୍ଧ୍ର ତା’ ମାନଚିତ୍ରରେ ସମ୍ପୂର୍ଣ୍ଣ ଭାବେ ମିଶାଇ ସାରିଥିବା ସୂଚନା ମିଳିଛି। ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଏଥିନେଇ କହିଛନ୍ତି ଯେ, ଡଙ୍କିନି ୟେଲେଗା ବାଲସା ଗ୍ରାମର ଜମି କିଣାବିକା ଜୟପୁର ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ହୋଇଛି। ଏଥିରୁ ଏହା ଓଡ଼ିଶାର ଥିଲା ବୋଲି ସ୍ପଷ୍ଟ ପ୍ରମାଣ ହୋଇଯାଇଛି। ଏହା ବାଦ୍ ଆନ୍ଧ୍ରରେ ଥିବା ନନ୍ଦପତ୍ରି, କଲିଙ୍ଗା ୟେଲେଙ୍ଗା ବାଲସା ଓ କଲମା ୟେଙ୍ଗାଲୁ ମଧ୍ୟ ଓଡ଼ିଶାର। ଏହି ଗାଁ ଗୁଡିକରେ ଲୋକେ ମଧ୍ୟ ଏହା ସ୍ବୀକାର କରିଛନ୍ତି। ଏଥିନେଇ ଖୋଳତାଡ କଲେ ବହୁ ପ୍ରମାଣ ମିଳିବା ସହ ସବୁ କିଛି ସ୍ପଷ୍ଟ ହୋଇଯିବ। ତେଣୁ ତୁରନ୍ତ ଏହି ଗାଁ ଗୁଡିକୁ ଓଡ଼ିଶା ନିଜ ପାଖକୁ ଫେରାଇ ଆଣିବା ଦରକାର ବୋଲି ଶ୍ରୀ ପରିଡା କହିଛନ୍ତି।

କୋଟିଆରେ ପୁଣି ଅନୁପ୍ରବେଶ

ଓଡ଼ିଶାର କିଛି ଗାଁକୁ ନିଜ ମାନଚିତ୍ରରେ ମିଶାଇ ସାରିଲା ପରେ ମଧ୍ୟ ଚୁପ ବସିନି ଆନ୍ଧ୍ର। ବରଂ ଆଉ କିଛି ଗାଁକୁ ନିଜ କବ୍‌ଜାକୁ ନେବା ପାଇଁ ଅହରହ ଉଦ୍ୟମ ଚଳାଇଛି। ବିବାଦୀୟ କୋଟିଆକୁ ନେଇ ଦୁଇ ରାଜ୍ୟ ଭିତରେ ବିବାଦ ଚାଲିଥିଲା ବେଳେ ଏବେ ଆନ୍ଧ୍ରର ଅଧିକାରୀମାନେ ତୁହାକୁ ତୁହା କୋଟିଆ ଗସ୍ତରେ ଆସୁଛନ୍ତି। ଗତ ସପ୍ତାହରେ ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳ ଅନ୍ତର୍ଗତ ଦଣ୍ଡିଗାଁ ଆଇସିଡିଏସ ସୁପରଭାଇଜର କେ. ପୁଷ୍ପା କୋଟିଆ ପଞ୍ଚାୟତର ୮ଟି ଗାଁ ପରିଦର୍ଶନ କରିଥିଲେ। ଆନ୍ଧ୍ର ସରକାର ଏଠାରେ ଚଳାଇଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ସେ ଅନୁଧ୍ୟାନ କରି ଦେଖିଥିଲେ। ଏହି କେନ୍ଦ୍ର ଗୁଡିକରେ ରନ୍ଧା ଖାଦ୍ୟ ଓ ପୁଷ୍ଟିକର ଖାଦ୍ୟ ବଣ୍ଟନ ଉପରେ ସେ ଗୁରୁତ୍ବ ଦେଇଥିଲେ। ଏପରିକି ପ୍ରତିଦିନ ମାଗଣାରେ ପିଲା ଓ ବୟସ୍କଙ୍କୁ ମାଗଣା ଖାଦ୍ୟ ଦେବାକୁ ଆନ୍ଧ୍ର ଉଦ୍ୟମ କରୁଛି। ଏମିତି ବାଟରେ କୋଟିଆବାସୀଙ୍କୁ ଆନ୍ଧ୍ର ନିଜ ପକ୍ଷକୁ ଟାଣିବାକୁ ଚେଷ୍ଟା କରୁଥିବା କହିଛନ୍ତି ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା। କୋଟିଆକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବା ପାଇଁ ଆନ୍ଧ୍ର ତୃଣମୂଳ ସ୍ତରରେ କାମ ଆରମ୍ଭ କରି ଦେଇଥିବା ସେ କହିଛନ୍ତି।

By amfnews

Related Post