Mon. Mar 9th, 2026

ଆନ୍ଧ୍ର-ଓଡ଼ିଶା ବନକର୍ମଚାରୀ ମୁହାଁମୁହିଁ: ରକେଟ୍ ମାଡ଼ରେ ମାଈହାତୀ ଗୁରୁତର

297 Views

ରାୟଗଡା, ଜାନୁଆରୀ ୧୧ : ଆନ୍ଧ୍ରରୁ ଆସି ଓଡ଼ିଶା ସୀମାନ୍ତରେ ଉତ୍ପାତ କରୁଥିବା ହାତୀପଲକୁ ନେଇ ଆଜି ଆନ୍ଧ୍ର-ଓଡ଼ିଶା ବନ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ହାତୀ ଘଉଡାଇବାରେ ଆନ୍ଧ୍ର ବନ ବିଭାଗ ଆକ୍ରମଣାତ୍ମକ ପଦକ୍ଷେପ ନେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ରାୟଗଡା ବନଖଣ୍ଡ କର୍ମଚାରୀ। ଆନ୍ଧ୍ର ବନ କର୍ମଚାରୀଙ୍କ ରକେଟ୍ ମାଡରେ ଗୋଟିଏ ମାଈ ହାତୀ ଗୁରୁତର ହେବା ପରେ ଦୁଇ ରାଜ୍ୟ ବନ କର୍ମଚାରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା। ଶେଷରେ ଆନ୍ଧ୍ରର କୃପମ ରେଂଜରଙ୍କ ଉପସ୍ଥିତିରେ ମାମଲା ଶାନ୍ତ ପଡିଛି।

ବର୍ତମାନ ହାତୀ ପଲ ପୁଣି ଓଡ଼ିଶା ମୁହାଁ ହୋଇ ଏମ୍ପଲୱାଲସା ଓ ଅନିଜା ଗ୍ରାମ ମଧ୍ୟରେ ଥିବା ପାହଡରେ ଥିବା ବନ ବିଭାଗ ସୂଚନା ଦେଇଛି। ୭ ଜଣିଆ ହାତୀପଲ ୪ ଦିନ ଧରି ଓଡ଼ିଶାର ଅନିଜା, ବୋରହଲୁଆ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଗତକାଲି ଆନ୍ଧ୍ର ଅଭିମୁଖେ ଚାଲି ଯାଇଥିଲେ। ଆଜି ହାତୀପଲ ଆନ୍ଧ୍ରର ବିଜୟନଗରମ ଜିଲ୍ଲା କୋମରଡା ମଣ୍ଡଳର ପୁଡୁରୁୱାଲେସା ନିକଟ ଏକ ପୋଖରୀରେ ପାଣି ପିଉଥିଲେ। ଖବର ପାଇ ଆନ୍ଧ୍ର ବନ ବିଭାଗ କର୍ମଚାରୀ କିଛି ଗ୍ରାମବାସୀଙ୍କୁ ନେଇ ହାତୀପଲକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ।

ତେବେ ହାତୀ ପଲ ନ ଯିବା ପରେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ହାତୀପଲକୁ ଲକ୍ଷ୍ୟ କରି ରକେଟ୍ ମାରିଥିଲେ। ରକେଟ୍ ମାଡରେ ହାତୀ ପଲ ଘାଇଲା ହୋଇ ଜଙ୍ଗଲମୁହାଁ ହୋଇଥିବାବେଳେ ବାଣ ମାଡରେ ଗୋଟିଏ ମାଈ ହାତୀ ଗୁରୁତର ଭାବେ ଆହତ ହୋଇଥିଲା। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ହୋହାଲ୍ଲା ଶୁଣି ହାତୀପଲ ଶୀତମପେଟା ଜଂଗଲ ଦେଇ ପାର୍ବତପୁରମ ହୋଇ ଝଂଜାବତୀ ଡ୍ୟାମ କୂଳ କମରଡା, ରାମଭଦ୍ରପୁରମ, ପାବର୍ତୀପୁରମ୍ ଦେଇ ଏମ୍ପଲାୱାଲସା ଗ୍ରାମ ନିକଟ ଜଂଗଲରେ ପୁଣି ପହଞ୍ଚିଥିଲେ। ହାତୀପଲଙ୍କ ଗତିବିଧି ଉପରେ ରାୟଗଡା

ବନ ବିଭାଗ କର୍ମଚାରୀ ନଜର ରଖିଥିବା ବେଳେ ହାତୀ ପୁଣି ଓଡ଼ିଶା ସୀମାକୁ ପହଞ୍ଚିବା ପରେ ଦୁଇ ରାଜ୍ୟର ବନ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଗ୍ରାମବାସୀଙ୍କୁ ହାତବାରିସି କରି ଆନ୍ଧ୍ର ବନ ବିଭାଗ ହାତୀକୁ ଆକ୍ରମଣ କରିବା ପାଇଁ ମଧ୍ୟ ପଛଉ ନଥିବାରୁ ବନ କର୍ମଚାରୀ ଅସଂତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ଏକ ଘଣ୍ଟା ଧରି ଦୁଇ ରାଜ୍ୟର ବନ କର୍ମଚାରୀଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଚାଲିବା ପରେ ପରିସ୍ଥିତିରେ ସୁଧାର ଆସିଛି। ଏ ସଂପର୍କରେ ଦୁଇ ରାଜ୍ୟର ବନ ବିଭାଗ ଉଚ୍ଚ ଅଧିକାରୀ ଆଲୋଚନା କରିବା ସହ ତୁରନ୍ତ ହାତୀକୁ ଜନ ବସତିରୁ ଦୂରକୁ ପଠାଇବା ପାଇଁ ଯୋଜନା କରାଯିବ ବୋଲି ସୂଚନା ମିଳିଛି।

By amfnews

Related Post