Sun. Mar 8th, 2026

ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ବାଟବଣା, ୧୬ ଜିଲ୍ଲା ଡିଡିଏଙ୍କୁ ରିପୋର୍ଟ ମାଗିଲା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ

????????????????????????????????????
160 Views

ଭୁବନେଶ୍ବର : ରାଜ୍ୟରେ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ନେଇ ୧୬ଟି ଜିଲ୍ଲାକୁ ରାଜ୍ୟ ସରକାର ଅର୍ଥ ଦେଲେ। ଅଥଚ ଏହି ଅର୍ଥ କିପରି ବିନିଯୋଗ ହୋଇଛି ତାର ତଥ୍ୟ ମାଗିଲେ ବି ମିଳୁନି। ଖୋଦ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପୁଣି ଥରେ ଚିଠି ଲେଖି ୭ ଦିନ ଭିତରେ ରିପୋର୍ଟ ଦେବାକୁ ସାନି ନିର୍ଦ୍ଦେଶ ଦେଇଛନ୍ତି।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ଚିଠି ଅନୁଯାୟୀ, ୨୦୧୬-୧୭ରୁ ୨୦୧୮-୧୯ ଭିତରେ ରାଜ୍ୟର ୧୬ଟି ଜିଲ୍ଲାରେ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ମୋଟ ୧୬ କୋଟି ୪୪ ଲକ୍ଷ ୭୧ ହଜାର ୮୨୪ ଟଙ୍କା ପ୍ରଦାନ କରାଯାଇଥିଲା। ଅଥଚ ଏହି ଫାର୍ମ ପ୍ରତିଷ୍ଠା ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ଷ୍ଟାଟସ୍ ରିପୋର୍ଟ ଏ ଯାଏ ସମ୍ପୃକ୍ତ ଜିଲ୍ଲାର କୃଷି ଉପନିର୍ଦ୍ଦେଶକମାନେ ପ୍ରଦାନ କରୁନାହାନ୍ତି। ଏ ନେଇ ଗତ ମେ ୨୦ ତାରିଖରୁ ରିପୋର୍ଟ ମଗାଯାଇଥିଲେ ବି ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ନେଇ ଗୋଟିଏ ବି ଜିଲ୍ଲାରୁ କୌଣସି ରିପୋର୍ଟ ମିଳିଲାନି। ଗତ ୩ ବର୍ଷରେ ଉତ୍ତରାଞ୍ଚଳ ଜୋନ ଅନ୍ତର୍ଗତ ଢେଙ୍କାନାଳ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଅନୁଗୁଳ, କେନ୍ଦୁଝର ଜିଲ୍ଲା ପାଇଁ ଆରକେଭିଵାଇ ଯୋଜନାରୁ ୮ କୋଟି ୩୩ ଲକ୍ଷ ୭୨ ହଜାର ୩୪୧ ଟଙ୍କା ପ୍ରଦାନ କରାଯାଇଥିବାବେଳେ କେନ୍ଦ୍ରାଞ୍ଚଳ ଜୋନରେ ଆସୁଥିବା ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲା ପାଇଁ ୪ କୋଟି ୬୬ ଲକ୍ଷ ୭୩ ହଜାର ୫୭୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ଦକ୍ଷିଣାଞ୍ଚଳ ଜୋନ ଅଧୀନରେ ଆସୁଥିବା କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ ଗଞ୍ଜାମ ଜିଲ୍ଲାରେ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା ପାଇଁ ୩ କୋଟି ୪୪ ଲକ୍ଷ ୨୫ ହଜାର ୯୧୩ ଟଙ୍କା ପ୍ରଦାନ କରାଯାଇଥିଲା।

By amfnews

Related Post