Sat. Mar 7th, 2026

ଆତ୍ମନିର୍ଭରଶୀଳ ନ ହେଲେ କରୋନାଭାଇରସ୍ ଭଳି ସମସ୍ୟାର ମୁକାବିଲା କରିପାରିବା ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

291 Views

ନୂଆଦିଲ୍ଲୀ: କରୋନାଭାଇରସ୍ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ନଚେତ୍ ଆମେ ଏ ଭଳି ସମସ୍ୟାର ମୁକାବିଲା କରିପାରିବା ନାହିଁ। ନିଜର ମୌଳିକ ଆବଶ୍ୟକତା ପାଇଁ ଗାଁ, ଜିଲ୍ଲା ଓ ରାଜ୍ୟ ନିଜ ନିଜ ସ୍ତରରେ ଆତ୍ମନିର୍ଭରଶୀଳ ହେବା ଉଚିତ। ଫଳରେ ସମଗ୍ର ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଏବେ ଏହା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ଆଜି ପଞ୍ଚାୟତି ରାଜ ଦିବସ ଅବସରରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ଦେଶର ସରପଞ୍ଚମାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କନ୍‌ଫରେନ୍‌ସ୍ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ କରୋନାଭାଇରସ୍ ମହାମାରୀ ସମଗ୍ର ବିଶ୍ବରେ କର୍ମଶୈଳୀ ବଦଳାଇ ଦେଇଛି। ପୂର୍ବରୁ ଆମେ ସାମନା ସାମନି ବସି କଥାବାର୍ତ୍ତା ହେଉଥିଲେ, କିନ୍ତୁ କରୋନାଭାଇରସ୍ ଯୋଗୁଁ ଆଜି ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ କଥାବାର୍ତ୍ତା ହେଉଛନ୍ତି।

ସେ ପୁଣି କହିଲେ, ସମୟ ଥିଲା ‌ଦେଶର ‌ଶହେରୁ କମ୍ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଥିଲା। ଏବେ ୧. ୨୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପହଞ୍ଚିସାରିଛି। କେବଳ ଏତିକି ନୁହେଁ, ଗାଁମାନଙ୍କରେ କମନ୍ ସର୍ଭିସ ସେଣ୍ଟର୍‌ର ସଂଖ୍ୟା ତିନି ଲକ୍ଷ ଟପିଗଲାଣି।

ଦେଶର ଗାଁରେ ରହୁଥିବା ଲୋକେ କରୋନାଭାଇରସ୍‌ର ସଂକଟ ସମୟରେ ନିଜ ସଂସ୍କାର, ନିଜ ପରମ୍ପରାରୁ କିଭଳି ଶିକ୍ଷା ପାଉଛନ୍ତି ତାହା ମଧ୍ୟ ଦୁନିଆ ଜାଣିଲା। ଗାଁମାନଙ୍କରୁ ଯାହା ଅପ୍‌ଡେଟ୍ ଆସୁଛି ତାହା ବଡ଼ ବଡ଼ ବିଦ୍ବାନ୍‌ଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ। ଲୌକିକ ଦୂରତା ନିମନ୍ତେ ଗାଁ ଲୋକେ ଦୁନିଆକୁ ମନ୍ତ୍ର ଦେଇଛନ୍ତି – ‘ଦୁଇ ଗଜ ଦୂ‌ରତା’। ଏହି ମନ୍ତ୍ର ପାଳନ ନିମନ୍ତେ ଗାଁରେ ଖୁବ୍ ଧ୍ୟାନ ଦିଆଯାଉଛି।

ଏତେ ବଡ଼ ସଙ୍କଟ ଆସିଲା, ଏତେ ବଡ଼ ଜାଗତିକ ମହାମାରୀ ଆସିଲା, କିନ୍ତୁ ଏଇ ଦୁଇ ତିନି ମାସରେ ଆମେ ଏ କଥା ବି ଦେଖିଲେ ଯେ ଭାରତର ନାଗରିକମାନେ ସୀମିତ ସମ୍ବଳ ମଧ୍ୟରେ ଅନେକ ପ୍ରକାର ଦୁଃସ୍ଥିତିରେ ହାର ମାନିବା ପରିବର୍ତ୍ତେ ତା’ର ମୁକାବିଲା କରୁଛନ୍ତି। ଏ କଥା ସତ ଯେ ବାଧା ଉପୁଜୁଛି, ଅସୁବିଧା ହେଉଛି, କିନ୍ତୁ, ସଙ୍କଳ୍ପର ସାମର୍ଥ୍ୟ ଦେଖାଇ ନୂତନ ଶକ୍ତି ସହ ଆଗେଇ ଚାଲି, ନୂଆ ନୂଆ ଉପାୟ ଅନ୍ବେଷଣ କରି, ଦେଶକୁ ରକ୍ଷା କରିବାକୁ ଓ ଦେଶର ଅଗ୍ରଗତି କରିବାକୁ ନିରବଚ୍ଛିନ୍ନ କାମ ଚାଲିଛି।

ପ୍ରଧାମନ୍ତ୍ରୀଙ୍କ ସହ ଏହି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମ ସ୍ବରାଜ ପୋର୍ଟାଲ୍ ‘ସ୍ବାମୀତ୍ବ’ ଏବଂ ଏକ ମୋବାଇଲ୍ ଆପ୍ଲିକେସନ୍ ଉଦ୍‌ଘାଟନ କରିଥିଲେ।

By amfnews

Related Post