Sat. Mar 7th, 2026

ଆତ୍ମଘାତୀ ହମଲା ଭୟରେ କୋର୍ଟ ଆସୁନାହାନ୍ତି ଓକିଲ

198 Views

ନୂଆଦିଲ୍ଲୀ  : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କଟକଣା ବଳବତ୍ତର ରହିଛି। ଏସବୁ ଭିତରେ ସ୍ଥାନୀୟ ପ୍ରଶାସନ ଜମ୍ମୁ-କଶ୍ମୀରରେ ଥିବା ବିଭିନ୍ନ କୋର୍ଟର କାର୍ଯ୍ୟ ଠିକ୍‌ ଭାବେ ଚାଲୁଥିବା କହିଛି। ହେଲେ ଜମ୍ମୁ-କଶ୍ମୀର ହାଇକୋର୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ କିଛି ଭିନ୍ନ କଥା କହୁଛି।

ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀମାନେ ଆତ୍ମଘାତୀ ହମ୍‌ଲା କରିବାକୁ ବାରମ୍ବାର ଧମକ ଦେଉଛନ୍ତି। ଏହି ଧମକରେ ଡରିଯାଇ ଅଧିକାଂଶ ଓକିଲ କୋର୍ଟ କାର୍ଯ୍ୟରେ ଯୋଗ ଦେଉ ନଥିବା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ତେବେ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଛି ଏବଂ ଲୋକଙ୍କୁ ନ୍ୟାୟିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଥିବା ହାଇକୋର୍ଟ ତାଙ୍କ ରିପୋର୍ଟରେ କହିଛନ୍ତି।

ଲୋକମାନେ ନ୍ୟାୟିକ ବ୍ୟବସ୍ଥାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏ ଅଭିଯୋଗ ଉପରେ ରିପୋର୍ଟ ଦେବାକୁ କହିଥିଲେ।

ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୀତା ମିତ୍ତଲ ଏବେ ଦୁଇଟି ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଛନ୍ତି। ଏଥିରେ ଆତଙ୍କୀଙ୍କ ହମ୍‌ଲା ଭୟ ଯୋଗୁ ଜିଲ୍ଲା ଓ ହାଇକୋର୍ଟରେ ଓକିଲଙ୍କ ସଂଖ୍ୟା ବହୁତ କମ ରହୁଛି ବୋଲି କୁହାଯାଇଛି। ତଥାପି ଜିଲ୍ଲା ଓ ହାଇକୋର୍ଟରେ ନ୍ୟାୟିକ ପ୍ରିକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଷ୍ଟିସ୍‌ ମିତ୍ତଲ ରିପୋର୍ଟରେ କହିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ସେପ୍ଟେମ୍ବର ୭ରେ ବିକ୍ଷୋଭକାରୀ ଶ୍ରୀନଗରଠାରେ ଥିବା ହାଇକୋର୍ଟ ପରିସରରେ ଆତ୍ମଘାତୀ ହମଲା କରିବାକୁ ଧମକ ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା। ହାଇକୋର୍ଟର ଉପସ୍ଥାପନା ପ୍ରତିଶତ ୮% ଥିବା ବେଳେ ସେପ୍ଟେମ୍ବର ୨୫ ବେଳକୁ ଉପସ୍ଥାପନ ୬୩%କୁ ବୃଦ୍ଧି ପାଇଥିଲା।

ଅଗଷ୍ଟ ୫ରୁ ସେପ୍ଟେମ୍ବର ୨୭ ମଧ୍ୟରେ ହାଇକୋର୍ଟଙ୍କ ଶ୍ରୀନଗର ୱିଙ୍ଗ ୧୧,୩୯୧ଟି ମାମଲାର ଶୁଣାଣି କରିଥିବା ବେଳେ ଜମ୍ମୁ ୱିଙ୍ଗ ୧୪,୦୭୩ଟି ମାମଲାର ବିଚାର କରିଛନ୍ତି। ଏହି ସମୟ ସୀମା ମଧ୍ୟରେ ଲୋକମାନେ ୮୦୦୮ ଦସ୍ତାବିଜ୍‌ ବିଭିନ୍ନ ମାମଲାରେ କୋର୍ଟରେ ଦାଖଲ କରିଛନ୍ତି।

By amfnews

Related Post