Sun. Mar 8th, 2026

ଆଣ୍ଟିଗୁଆରେ ପଚରାଉଚୁରା ପାଇଁ ମେହୁଲ ଚୋକ୍‌ସିଙ୍କ ଆବେଦନକୁ ଅଗ୍ରାହ୍ୟ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

193 Views

ନୂଆଦିଲ୍ଲୀ : ଆଣ୍ଟିଗୁଆରେ ପଚରାଉଚୁରା କରାଯାଉ ବୋଲି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି କରିଥିବା ଆବେଦନକୁ ଶନିବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗ୍ରାହ୍ୟ କରି ଦେଇଛି। ଉଭୟ ଦତନ୍ତକାରୀ ଏଜେନ୍‌ସି ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ପଚରାଉଚୁରା କରିବାକୁ ଥିବାରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଭାରତକୁ ଯାଇ ପାରିବେ ନାହିଁ ବୋଲି ଚୋକ୍‌ସି ଆବେଦନ କରିଥିଲେ।

ଜାମିନବିହୀନ ପରୁଆନା ଏବଂ ରେଡ୍‌ କର୍ଣ୍ଣର୍‌ ନୋଟିସ୍‌ ଜାରି କରାଯାଇଥିବା ଦର୍ଶାଇ ମୁମ୍ବାଇ ହାଇକୋର୍ଟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛି ଯେ ଚୋକ୍‌ସି କଦାପି ତଦନ୍ତରେ ସହଯୋଗ କରି ନାହାନ୍ତି। ସେ ଭାରତକୁ ଫେରିବାକୁ ମଧ୍ୟ ମନା କରି ଦେଇଛନ୍ତି। ସେ ନିରୁଦ୍ଦିଷ୍ଟ ତଥା ପଳାତକ ହୋଇଥିବାରୁ ତାଙ୍କ ଆବେଦନ ରଦ୍ଦ କରାଯାଉ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ କହିଛି।

ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ କହିଛି ଯେ ଆଣ୍ଟିଗୁଆରୁ ଚୋକ୍‌ସିଙ୍କୁ ଭାରତ ଫେରାଇ ଆଣିବାକୁ ସେମାନେ ଡାକ୍ତରୀ ବିଶେଷଜ୍ଞଙ୍କ ଏୟାର୍‌ଆମ୍ବୁଲାନ୍‌ସ୍‌ ଯୋଗାଇ ଦେବାକୁ ଆଗ୍ରହୀ। ଦେଶରେ ମଧ୍ୟ ତାଙ୍କୁ ସମସ୍ତ ପ୍ରକାର ଡାକ୍ତରୀ ସହାୟତା ଯୋଗାଇ ଦିଆଯିବ।

ଅଦାଲତଙ୍କୁ ବିଭ୍ରାନ୍ତ କରିବାକୁ ଚୋକ୍‌ସି ଅସୁସ୍ଥତା କଥା ଦର୍ଶାଇଛନ୍ତି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଆହୁରି କହିଛି ଯେ ଚୋକ୍‌ସି ଦାବି କରିଥିବା ୬, ୧୨୯ କୋଟି ଟଙ୍କାର ସମ୍ପତ୍ତି ଜବତ କଥା ମିଛ। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କର ମାତ୍ର ୨୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେ ଭାରତ ଛାଡ଼ିବା ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରୟ କରି ଦେବାକୁ ଉଦ୍ୟମ କରୁଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି।

By amfnews

Related Post