Fri. Jan 24th, 2025

ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ

By amfnews Dec 31, 2018 #Featured
166 Views

ରାଉରକେଲା, ୩୧ା୧୨ : ଶିଳ୍ପାଞ୍ଚଳ ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ପକ୍ଷରୁ ଅଣୁ, କ୍ଷୁଦ୍ର, ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଶିଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସୁଶୀଲ କୁମାର ମହାନ୍ତି ସଚେତନତା ଶିବିରରେ ଅଧ୍ୟକ୍ଷତା କରି କହିଲେ ଯେ, ଶିଳ୍ପ ପାଇଁ ଜିଲା ଓ ରାଜ୍ୟରେ ବିପୁଳ ପରିମାଣର କଞ୍ଚାମାଲ ଗଚ୍ଛିତ ରହିଛି । ତେଣୁ ଶିକ୍ଷିତ ବେକାର ଯୁବକ, ଯୁବତୀମାନେ ଏହାର ସୁବିଧା ନେବାକୁ ସେ ଆହ୍ୱାନ କରିଥିଲେ । ସରକାରଙ୍କ ଦ୍ୱାରା ମିଳୁଥିବା ପ୍ରୋତ୍ସାହନ, ରିଆତି ଦରରେ ମିଳୁଥିବା କଞ୍ଚାମାଲ୍ ଠାରୁ ବିକ୍ରି ପର୍ଯ୍ୟନ୍ତ ଅନେକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ହୋଇପାରିବ ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପାଉଁଶ ଇଟା ତିଆରି ପାଇଁ ସରକାରଙ୍କ ପ୍ରୋତ୍ସାହନ ରହିଛି ବୋଲି କହିଥିଲେ । ସେହିପରି କୃଷି ବିଭାଗ ସହକାରୀ ଯନ୍ତ୍ରୀ ଆଲୋକ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃଷି ବିଭାଗରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କଦଳୀ ଚାଷ, ଛତୁ ଚାଷ, ଫୁଲ ଚାଷ ଉପରେ ଆଲୋକପାତ କରିଥିଲେ । କୃଷି ଶିଳ୍ପରେ ଅଧିକ ଲାଭଜନକ ସୁଯୋଗ ଅଛି ଓ ଏହାଦ୍ୱାରା କୃଷି ପ୍ରତି ଅନୁଗ୍ରହ ରଖୁଥିବା ଲୋକେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଶ୍ରୀ ଅଧିକାରୀ କହିଥିଲେ ।

ମତ୍ସ୍ୟ ବିଭାଗ ସହକାରୀ ଅଧିକାରୀ ବିବେକ ସୋରେନ ସଚେତନତା ଶିବିରରେ ଯୋଗ ଦେଇ ମତ୍ସ୍ୟ ବିବାଗର ମୋ’ ପୋଖରୀ ଯୋଜନା ରହିଛି । ମତ୍ସ୍ୟ ଚାଷରେ ଆତ୍ମ ନିଯୁକ୍ତିର ସୁଯୋଗ ମଧ୍ୟ ରହିଛି । ଏହାଦ୍ୱାରା ଯୁବକ, ଯୁବତୀ ଓ ମହିଳାମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ସୋରେନ କହିଥିଲେ । ଶିଳ୍ପ କେନ୍ଦ୍ରର ସହକାରୀ ମହାପ୍ରବନ୍ଧକ ବାଣେଶ୍ୱର ସୁବୁଦ୍ଧି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କର୍ମସୃଷ୍ଟି ଯୋଜନା ଉପରେ ଆଲୋଚନା କରିଥିଲେ । ଏହି ଯୋଜନାରେ ୧୫ରୁ ୩୫ ଭାଗ ରିଆତିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଭୋକ୍ତା କେବଳ ୫ରୁ ୧୦ ପ୍ରତିଶତ ପୁଞ୍ଜି ନିବେଶ କରିବାକୁ ହେବ ବୋଲି ଶ୍ରୀ ସୁବୁଦ୍ଧି କହିଥିଲେ । ଶିଳ୍ପ ବିକାଶ ଅଧିକାରୀ ପାର୍ବତୀ ମାରାଣ୍ଡି ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଯୁବକ, ଯୁବତୀ ଓ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ ।

By amfnews

Related Post