Fri. Mar 6th, 2026

ଆଜି ସାରସ୍ବତ ସାଧକ ମନୋଜ ଦାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁଡୁଚେରୀରେ ହେବ ଅନ୍ତିମ ସଂସ୍କାର

290 Views

ଭୁବନେଶ୍ବର, ଏପ୍ରିଲ ୨୮ :

ପୁଡୁଚେରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ମନୋଜ ଦାସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି

ସେ ଟ୍ବିଟ କରି ଲେଖିଛନ୍ତି ଯେ, ପୁଡୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନଙ୍କ ସହ ମଧ୍ୟ ଫୋନ୍ ଯୋଗେ କଥା ହୋଇ ସାରସ୍ୱତ ସାଧକ ସ୍ୱର୍ଗତ ଦାସଙ୍କ ମରଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅନୁରୋଧ କରିଛୁ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟରେ ଯୋଗ ଦେବେ।

ସୂଚନାଯୋଗ୍ୟ, ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ ଦାସଙ୍କ ହାତ ଭାଙ୍ଗିଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ ।

ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ମନୋଜ ଦାସଙ୍କର ରହିଛି ଅନବଦ୍ୟ କୃତି । ସେ ଗଳ୍ପ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା, ଭ୍ରମଣ ସାହିତ୍ୟ ଓ ଇତିହାସ ଏବଂ ସଂସ୍କୃତିକୁ ନେଇ ବହୁ ଉଚ୍ଚକୋଟୀର ସାହିତ୍ୟ ସାଧନା କରିଛନ୍ତି ।

ସାହିତ୍ୟରେ ଜୀବନବ୍ୟାପୀ ସାଧନା ଲାଗି ମନୋଜ ଦାସ ୨୦୦୧ରେ ପଦ୍ମଶ୍ରୀ ସମ୍ମାନ ଓ ୨୦୨୦ରେ ପଦ୍ମଭୂଷଣ ସମ୍ମାନର ଅଧିକାରୀ ହୋଇଥିଲେ । ସେହିଭଳି କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

By amfnews

Related Post