Sat. Mar 7th, 2026

ଆଜି ‘ବିଶ୍ବ କିଡ୍‌ନୀ ଦିବସ’ : ରାଜ୍ୟରେ ୨ଲକ୍ଷ ୧୦ହଜାର କିଡ୍‌ନି ରୋଗୀ

712 Views

କଟକ : ୨୦୦୬ରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ ମାସର ଦ୍ବିତୀୟ ଗୁରୁବାରକୁ ‘ବିଶ୍ବ କିଡ୍‌ନି ଦିବସ’ ଭାବେ ପାଳନ କରୁଛନ୍ତି। ୧୪ ବର୍ଷ ହେଲା ପାଳନ ହେଉଛି ଏହି ଦିବସ। ତେବେ ଓଡିଶାରେ ଦିନକୁ ଦିନ ବଢୁଛି କିଡ୍‌ନି ରୋଗୀଙ୍କ ସଂଖ୍ୟା। ବିଶ୍ବରେ ପ୍ରାୟ ୯ କୋଟି ଲୋକ ଓ ଭାରତରେ ୧ କୋଟି ଲୋକ କିଡ୍‌ନି ଜନିତ ରୋଗରେ ଆକ୍ରାନ୍ତ। ହେଲେ ଓଡିଶାରେ ମଧ୍ୟ ଏହି ରୋଗର ସ୍ଥିତି ଉଦ୍‌ବେଗଜନକ। ଓଡ଼ିଶାରେ ପ୍ରାୟ ୨ଲକ୍ଷ ୧୦ହଜାର କିଡ୍‌ନି ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି।

କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ ଓ ମାଲକାନାଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡ୍‌ନି ରୋଗ ଦେଖାଦେଉଛି। ଏହାର କାରଣ ମଧ୍ୟ ଜଣାପଡୁନାହିଁ।

ଏହି ରୋଗରେ ଯୁବକ ଓ ପ୍ରୌଢ଼ମାନେ ଅନେକାଂଶରେ ଆକ୍ରାନ୍ତ ହେଉଛନ୍ତି ଓ ଏହାର କାରଣ ଖୋଜି ବାହାରା କରିବା ବର୍ତ୍ତମାନର ଏକ ଆହ୍ବାନ ହୋଇଛି। ରୋଗ ଅନେକ ବୃଦ୍ଧି ପାଇବା ପରେ ଏହା ଜଣାପଡୁଛି ଓ ଖୁବ୍‌ଶୀଘ୍ର ଏହା ରୋଗୀର କିଡ୍‌ନିକୁ ସଂପୂର୍ଣ୍ଣ ଅଚଳ କରିଦେଉଛି। ଉଚ୍ଚ ତାପମାନରେ ଶାରୀରିକ ପରିଶ୍ରମ କରିବା ଓ କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ରାସାୟନିକ ସାର ଓ ଅନ୍ୟାନ୍ୟ ରସାୟନର ସଂସ୍ପର୍ଶରେ ଆସିବା, ଅତ୍ୟଧିକ ବିନ୍ଧାଛିଟିକା ଔଷଧ ସେବନ, ଭେଜାଲ ମଦ୍ୟପାନ, ଦୂଷିତ ଜଳର ବ୍ୟବହାର ଯୋଗୁଁ ଏହା ହୋଇଥାଇପାରେ ବୋଲି ଆକଳନ କରାଯାଉଛି।

ଏସ୍‌ସିବି ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ କହିବା ଅନୁସାରେ ଏସ୍‌ସିବି ବର୍ହି ବିଭାଗରେ ପୂର୍ବରୁ ହାରାହାରି ଭାବେ ମାସକୁ ୧୫ ଜଣ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ। କିନ୍ତୁ ବର୍ତ୍ତମାନ ପ୍ରାୟ ସପ୍ତାହକୁ ଏହି ସଂଖ୍ୟା ୫ଶହ ଟପିଲାଣି। ଏହା ରୋଗର ଭୟାବହତା ‌ସୂଚାଉଛି। ଅଣସଂକ୍ରମଣ ରୋଗମାନଙ୍କ ମଧ୍ୟରେ ଗତ ୧୦ବର୍ଷ ମଧ୍ୟରେ ଏହା ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ୬ଷ୍ଠ ସ୍ଥାନରେ ପହଞ୍ଚିଯାଇଛି।

ନେଫ୍ରୋଲୋଜି ବିଭାଗ ବରିଷ୍ଠ ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କ ତତ୍ତ୍ବାବଧାନରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଭାରତୀୟ ଭେଷଜ ଗବେଷଣା ପରିଷଦ ସହାୟତାରେ ଏହାକୁ ନେଇ ଗବେଷଣା କରାଯାଉଛି। ଅନ୍ୟାନ୍ୟ ସଂସ୍ଥା, କେନ୍ଦ୍ର ସରକାର ଓ ବିଶେଷ ଭାବେ ରାଜ୍ୟ ସରକାର ଏ ସଂପର୍କରେ ଏଭଳି ଗବେଷଣାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ନିକଟ ଅତୀତରେ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ଦେଶର ସର୍ବପ୍ରଥମ ଗ୍ରାମୀଣ ଡାଇଲିସିସ୍ ସେବା କେନ୍ଦ୍ର ନରସିଂହପୁରଠାରେ ସ୍ଥାପନ କରାଯାଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ଏହି ବିଚିତ୍ର ପ୍ରକାରର କିଡ୍‌ନି ରୋଗକୁ ନେଇ ସରକାରଙ୍କ ପକ୍ଷରୁ ପ୍ରଫେସର ଡାକ୍ତର କର ମଧ୍ୟ ଗବେଷଣା ଚଳାଇଛନ୍ତି। ଶ୍ରୀଲଙ୍କା, ଭିଏତ୍‌ନାମ ଓ ଦକ୍ଷିଣ ଆମେରିକାର ରାଷ୍ଟ୍ରରେ ଏହି ରୋଗ ସେ ଦେଶର ସରକାରମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ରୋଗକୁ ପ୍ରତିହତ କରିବା ପାଇଁ ଯୋଜନା ସହିତ ବ୍ୟାପକ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ଡାକ୍ତର କର ମତ ଦେଇଛନ୍ତି।

By amfnews

Related Post