ଭୁବନେଶ୍ୱର, ଡିସେମ୍ବର 08 : ଆଜି ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି । ଏହି ଦିନ ବଂଶର ଜ୍ୟେଷ୍ଠ ପିଲାଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା କରାଯାଏ । ଜ୍ୟେଷ୍ଠ ସନ୍ତାନଙ୍କ ବନ୍ଦାପନା ପରେ ପଞ୍ଚପଲ୍ଲବ, ପଞ୍ଚ ଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ । ଛେନା, ନଡ଼ିଆପୁର, ଗୁଡ଼, ଅରୁଆ ଚାଉଳ, ହଳଦୀ ପତ୍ର ଏବଂ ବିରିରେ ପିଠା ତିଆରି କରାଯାଏ । ହଳଦୀ ପତ୍ରର ମହମହ ବାସ୍ନାରେ ପିଠାରେ ସୁଆଦ ଅଧିକ ବଢିଯାଏ ।
ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିକୁ ଓଡ଼ିଆ ଘରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ । ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ମଧ୍ୟ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରାନ୍ତି । ପୋଢୁଆଁ ହୁଅନ୍ତି ମହାପ୍ରଭୁ । ଚଳଚଂଚଳ ହୋଇଉଠିଛି ପଲ୍ଲୀ ଠୁ ସହର । ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ରୁ ଭଣଜା ପାଇଁ ଯିବ ନବବସ୍ତ୍ର ଓ ଅଷ୍ଟମୀ ଭାର ଆସିଛି । ଏହି ଅବସରରେ ମହାପ୍ରଭୁ ପିନ୍ଧିଛନ୍ତି ନୂଆ ବସ୍ତ୍ର , ଲାଗି ହୋଇଛି ସୂତନ୍ତ୍ର ଭୋଗ । ପରମ୍ପରା ଅନୁଯାୟୀ, ଏହି ଦିନ ମାମୁମାନେ ନୂଆ ଲୁଗା, ମିଷ୍ଟାନ୍ନ ଓ ଅନ୍ୟ ସାମଗ୍ରୀ ସହ ଭଣଜା ଭାଣଜୀ ଘରକୁ ଯାଇ ପଢୁଆଁ କରନ୍ତି । ବାପାଙ୍କ ପରେ ଜ୍ୟେଷ୍ଠ ସନ୍ତାନ ହିଁ ଘରର କର୍ତ୍ତା ଭାବେ ଦାୟିତ୍ୱ ତୁଲାନ୍ତି । ତେଣୁ ଏହି ଅବସରରେ ତାଙ୍କ ସୌଭାଗ୍ୟ କାମନା କରାଯାଏ । ଏହି ଦିନ ପ୍ରଭୁ ଲିଙ୍ଗରାଜ ତାଙ୍କ ମାମୁଘରକୁ ଯାଇ ପ୍ରଥମାଷ୍ଟମୀରେ ନୂତନ ବସ୍ତ୍ର ପରିଧାନ କରିବା ପରମ୍ପରା ରହିଛି।
ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି I