Sat. Mar 7th, 2026

ଆଜି ନୂଆଁଖାଇ : ଲକ୍ଷାଧିକ ଲୋକ ଖାଇବେ ନବାନ୍ନ, କଳହାଣ୍ଡିରେ ୨ ଦିନ ପାଳିବେ ଲୋକେ

348 Views

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମଙ୍ଗଳବାର ପାଳନ ହେଉଛି। ଏହି ଅବସରରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ନବାନ୍ନ ଖାଇବେ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଏହି କୃଷିଭିତ୍ତିକ ପର୍ବ ପାଳନ ହେଉଛି  ପ୍ରାୟ ସମସ୍ତଙ୍କର ଧାରଣା ଯେ, ସମଗ୍ର ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପାଳନ ହୋଇ ଥାଏ କିନ୍ତୁ ସେଭଳି କିଛି ନିୟମ ନାହିଁ। ଅସୁବିଧା ଯୋଗୁଁ ହେଉ ଅଥବା ପରଂପରାକୁ ସମ୍ମାନ ଦେଇ କିଛି ସ୍ଥାନରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହୋଇପାରି ନ ଥାଏ।

କଳହାଣ୍ଡି ଜିଲ୍ଲାରେ ୨ ଦିନ ନୂଆଁଖାଇ ପାଳନ ହୋଇଥାଏ। ଭବାନୀପାଟଣା ଥୁଆମୂଳ ରାମପୁର, ମଦନପୁର ରାମପୁର, ଜୟପାଟଣାରେ ଦଶମୀ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ। ଜିଲ୍ଲାର ଅନ୍ୟ ସ୍ଥାନଗୁଡ଼ିକରେ ପଞ୍ଚମୀ ତିଥିରେ ନୂଆଖାଇ ଆୟୋଜନ ହୋଇଥାଏ। ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଗୋଟିଏ ଦିନରେ ନୂଆଁଖାଇ ହୋଇ ନ ଥାଏ। ଏହି ସବୁ ଜିଲ୍ଲାଗୁଡ଼ିକରେ ଲୋକେ ନିଜ ନିଜ ସୁବିଧାରେ ନୂଆଖାଇ ପାଳନ କରିଥାନ୍ତି। ଏତଦ୍‌ବ୍ୟତୀତ ନୂଆଁଖାଇ ଦିନ ଯେଉଁ ପରିବାରର କୌଣସି ଅସୁବିଧା ହୋଇଥାଏ, ସେମାନେ ଦଶହରାରେ ନୂଆ ଖାଇଥାନ୍ତି। ସେହିପରି ଭାଇଚାରର ପର୍ବ ନୂଆଁଖାଇରେ ପାରିବାରିକ କଳହ ଶେଷ ହୋଇଥାଏ। ବହୁ ଦିନର ବିବାଦକୁ ଭୁଲି ଲୋକ ହାତ ମିଳାଇଥାନ୍ତି। ଘରେ ଯଦି କୌଣସି ସାମାଜିକ ମନୋମାଳିନ୍ୟ ଥାଏ, ତାହାର ମଧ୍ୟ ଅନ୍ତ ଘଟିଥାଏ।

ନୂଆଁଖାଇ ପରଦିନ ଅର୍ଥାତ ବୁଧବାର ଛାଡ଼ଖାଇ ହେବ। ନୂଆଖାଇ ଦିନ ଆମିଷ ଭୋଜନ ବାରଣ ଥିବାରୁ ଲୋକ ପର ଦିନ ଛାଡ଼ଖାଇ କରିଥାନ୍ତି। ବହୁ ଦୂର ଦୂରାନ୍ତରୁ ଲୋକେ ନିଜର ଜନ୍ମମାଟିକୁ ପହଞ୍ଚି ଥିବାରୁ ଅଧିକ ଉତ୍ସାହିତ ଥାଆନ୍ତି। ଛାଡ଼ଖାଇ ଦିନରେ ଆମିଷଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଥାଏ।

ଦେବୀଙ୍କ ନିକଟରେ ଏମିତି ଲାଗିବ ନୂଆ

ସୁବର୍ଣ୍ଣପୁରର ସଦର ମହକୁମା ସୋନପୁରରେ ସେପ୍ଟେମ୍ବର ୩ ତାରିଖ ପୂର୍ବାହ୍ଣ ୮ଟା ୪୭ ରୁ ୯ଟା ୫୭ ମଧ୍ୟରେ ସମଲେଇ ମନ୍ଦିରରୁ ପାହୁର ବାହାରି ଇଷ୍ଟଦେବୀ ସୁରେଶ୍ୱରୀ ଏବଂ ଅଷ୍ଟଚଣ୍ଡୀଙ୍କ ପାଖରେ ପହଞ୍ଚିବ। ଏହି ସମୟରେ ନୂଆ ଲାଗିହେବ। ଏହା ପରେ ୯ଟା୫୭ ରୁ ୧୦.୧୧ ମଧ୍ୟରେ ଜିଲ୍ଲାବାସୀ ନିଜ ନିଜ ଘରେ ଥିବା ଦେବାଦେବୀଙ୍କୁ ପୂଜା କରିବା ସହ ନବାନ୍ନ ଖାଇବେ। ପରଂପରା ଅନୁଯାୟୀ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ମହାରାଜାଙ୍କ ଇଷ୍ଟଦେବୀ ଶ୍ରୀ ଶ୍ରୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ଠାରେ ମଙ୍ଗଳବାର ପଞ୍ଚମୀ ତିଥିରେ ପୂର୍ବାହ୍‌ଣ ୮ଟା ୫୦ରୁ ୧୦ଟା ମଧ୍ୟରେ ନବାନ୍ନ ବିଧି ଅନୁଷ୍ଠିତ ହେବ। ସେହିପରି ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ସେପ୍ଟେମ୍ବର ୩ ଅର୍ଥାତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଦିନ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ଲଗ୍ନ ନିର୍ଦ୍ଧାରଣ ହୋଇଛି।

By amfnews

Related Post