ଓଡିଶାର ସଂସ୍କୃତି ଓ ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କ ଅନ୍ତରୀଣ ଜାମିନ ଅବଧିକୁ ନୂଆଦିଲ୍ଲୀ ସାକେତ କୋର୍ଟ ଅକ୍ଟୋବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କଡ଼ା ଭର୍ତ୍ସନା କରିଥିବାବେଳେ ଜାମିନ ଆବେଦନକୁ ଖାରଜ କରିଥିଲେ । ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଜିତ ସୁରକ୍ଷା ପାଇଁ ହକଦାର ନୁହଁନ୍ତି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସ୍ପଷ୍ଟ ଭାବେ କହିଥିଲେ । ତେବେ ସେ ଆଉ ରିଭ୍ୟୁ ପିଟିସନ୍ ଆବେଦନ କରିବେ ନାହିଁ ବୋଲି ତାଙ୍କ ଓକିଲ ନିଖିଲ ମେହର କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କୋଣାର୍କ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ଓଡ଼ିଶା ଭ୍ରମଣରେ ଆସିଥିବା ଅଭିଜିତ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଥିଲେ । କୋଣାର୍କ ଥାନାରେ ମାମଲା ରୁଜୁ ହେବା ପରେ ସେପ୍ଟେମ୍ବର ୨୦ରେ ଓଡ଼ିଶା ପୋଲିସ ଦିଲ୍ଲୀ ପୋଲିସ ସାହାଯ୍ୟରେ ତାଙ୍କୁ ଗିରଫ କରି ସାକେତ କୋର୍ଟରେ ହାଜର କରିଥିଲା । ସାକେତ୍ କୋର୍ଟ ସେପ୍ଟମ୍ବର ୨୭ ତାରିଖ ଯାଏଁ ଅଭିଜିତଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ୍ ଦେଇଥିଲେ ଏବଂ ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଅଭିଜିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ସହିତ ତାଙ୍କର ମଧ୍ୟବର୍ତ୍ତିକାଳୀନ ଜାମିନକୁ ଅକ୍ଟୋବର ୫ ତାରିଖ ଯାଏଁ ବଢ଼ାଇ ଦିଆଯାଇଥିଲା ।