ଭୁବନେଶ୍ୱର : ଆଜି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ ମାସେ ହେଲା ଆମିଷ ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ ସୁହାଉଛି। ତେଣୁ ଘରେ ମଟନ, ଚିକେନ କି ମାଛ ହେବ ତାହା ଆଗରୁ ଫାଇନାଲ୍ ହୋଇ ସାରିଛି। କାଳେ ସରିଯିବ ସେଇ ଚିନ୍ତାରେ ଭୋରୁ ଭୋରୁ ଆମିଷ ବଜାରରେ ଭିଡ଼ ଲାଗିଲାଣି । ଏହାକୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳଚଞ୍ଚଳ।
ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି । ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର କିଛିଟା ଅଧିକ ରହିଛି । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଛନ୍ତି । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ । ଯାହାକୁ ଆଖି ଆଗରେ ରଖି କିଛି ହୋଟେଲ୍ରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଛି ।