Sun. Feb 23rd, 2025

ଆଜି ଆଉ ଏକ ଲଘୁଚାପ : ପହିଲାରୁ ଉପକୂଳରେ ସ୍ୱଳ୍ପ ବର୍ଷା, ଶୀତ ବଢ଼ିବ

By amfnews Oct 31, 2020 #Featured
168 Views

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋ‌ପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି(ଶନିବାର) ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ୪୮ ଘଣ୍ଟା ମଧ୍ୟରେ ଏହା ବାଂଲାଦେଶ ଉପକୂଳ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତାକାଲି ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଏହି ସମୟରେ ରାଜ୍ୟରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ଆସନ୍ତା ୨/୩ ଦିନ ମଧ୍ୟରେ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ଟିକେ କମ୍‌ ରହିବ। ଅନ୍ୟପଟେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମ‌ାତ୍ରା ସ୍ବାଭାବିକ ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଲଘୁଚାପଟି ବାଂଲାଦେଶ ମୁହାଁ ହୋଇଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବେଶି ରହିବ ନାହିଁ। କିନ୍ତୁ ୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ସମେତ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଏହାପରେ ୩ ତାରିଖ ଯାଏ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏଥିସହ ଏହି ସମୟରେ ପାଗ ମେଘୁଆ ରହିବ। ଅନ୍ୟପଟେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ପାରଦ ସ୍ତର ବି କମିବ। ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ବହୁତ କମ୍‌ ରହିଛି। ଗତକାଲି ସୋନ୍‌ପୁରର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଆଉ ୩ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି। ଅନୁଗୁଳ ୧୩.୮ ଡିଗ୍ରି, ଦାରିଙ୍ଗବାଡ଼ି ୧୪.୦ ଡିଗ୍ରି ଓ ଫୁଲବାଣୀରେ ୧୪.୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଏବେ ରାଜ୍ୟର ତାପମାତ୍ରା ଏହିଭଳି କିଛି ଦିନ ପର୍ଯ୍ୟନ୍ତ ରହିବ। ଏଥିରେ ପରିବର୍ତ୍ତନ ହେବ ନାହିଁ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

By amfnews

Related Post