ଫଳସ୍ଵରୂପ ୨୦୦୪ ଅକ୍ଟୋବର ୧୮ରେ ପୋଲିସ ଏନକାଉଣ୍ଟରରେ ବୀରାପ୍ପାନର ମୃତ୍ୟୁ ଘଟିଥିଲା। କାହାରିକୁ ମଧ୍ୟ ବିଶ୍ଵାସ ହେଉନଥିଲା ଯେ ବୀରାପ୍ପାନଙ୍କ ମୃତ୍ୟୁ ଘଟିଛି। ବୀରାପ୍ପାନକୁ ନେଇ ଅନେକ କାହାଣୀ ମଧ୍ୟ ରହିଛି।
ବୀରାପ୍ପାନର ନାମ ପ୍ରଥମ ଥର ୧୯୮୭ରେ ଚର୍ଚ୍ଚାକୁ ଆସିଥିଲା। ସେହି ସମୟରେ ସେ ଚିଦାମ୍ବରମ ନାମକ ଜଣେ ଫରେଷ୍ଟ ଅଫିସରଙ୍କୁ ଅପହରଣ କରି ନେଇଥିଲା। ଏହା ପରେ ସେ ପୋଲିସର ଏକ ପୂରା ଦଳକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୧୯୯୭ରେ ବୀରାପ୍ପାନ ସରକାରୀ ଅଫିସର ଭାବି ଦୁଇ ଜଣ ଲୋକଙ୍କୁ ଅପହରଣ କରିଥିଲା। ମାତ୍ର ସେ ଦୁଇ ଜଣ ବ୍ୟକ୍ତି ଫଟୋଗ୍ରାଫର ଥିଲେ। ସେମାନେ ବୀରାପ୍ପାନ ସହିତ ୧୧ ଦିନ ରହିଥିଲେ। ସେଠାରୁ ଆସିବା ପରେ ଉଭୟ ଫଟୋଗ୍ରାଫର ବୀରାପ୍ପାନ ବିଷୟରେ ଚକିତ କରିବା ଭଳି ଖୁଲାସା କରିଥିଲେ।
ସେହି ଦୁଇ ଫଟୋଗ୍ରାଫର କହିଥିଲେ ଯେ ବୀରାପ୍ପାନ ହାତୀଙ୍କୁ ନେଇ ବହୁତ ଭାବୁକ ଥିଲା। ବୀରାପ୍ପାନ ସେହି ଦୁଇ ଜଣଙ୍କୁ କହିଥିଲା ଯେ ଜଙ୍ଗଲରେ ଯାହା ବି କିଛି ହୋଇଥାଏ ସେ ସବୁର ଦୋଷ ମୋ ଉପରେ ଦିଆଯାଏ। ତାକୁ ଜଣା ଯେ ଏହି କାମ ପାଇଁ ୨୦ ରୁ ୨୫ ଗ୍ୟାଙ୍ଗ ଜଙ୍ଗଲରେ ସକ୍ରିୟ ଅଛନ୍ତି। ସବୁ କାମ ସେ କରୁନଥିଲା। ସେ ସବୁ କାମ ସେ ଛାଡ଼ି ଦେଇଥିଲା। ବୀରାପ୍ପାନ ଉଭୟ ଫଟୋଗ୍ରାଫରଙ୍କ ସହିତ କଥା ହେଉଥିବା ସମୟରେ ଜିଓଗ୍ରାଫିକ ମ୍ୟାଗଜିନ ପଢୁଥିଲା।
ବିଜୟଙ୍କୁ ଦିଅାଗଲା ଦାୟିତ୍ଵ
ସେହି ସମୟରେ ଏସଟିଏଫ ବୀରାପ୍ପାନକୁ ଧରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଥିଲେ। ଏହା ମଧ୍ୟରେ ୨୦୦୩ରେ ବିଜୟ କୁମାରଙ୍କୁ ଏସଟିଏଫର ମୁଖ୍ୟ କରାଯାଇଥିଲା। ସେହି ସମୟରେ ବୀରାପ୍ପାନ ଦୁର୍ବଳ ହୋଇ ଚାଲିଥିଲା। ଆଇପିଏସ ଅଫିସର ବିଜୟ କୁମାରଙ୍କ ପାଇଁ ବୀରାପ୍ପାନ କୌଣସି ନୂତନ ନାମ ନଥିଲା। ୧୯୯୩ରେ ମଧ୍ୟ ବିଜୟ ବୀରାପ୍ପାନଙ୍କୁ ଧରିବାରେ ବିଫଳ ହୋଇଥିଲେ।
ବିଜୟ କୁମାର ଯୋଜନା ପ୍ରସ୍ତୁତ କରି ବହୁତ ସତର୍କତାର ସହିତ କାମ ଆରମ୍ଭ କରିଥିଲେ। ସେ ବୀରାପ୍ପାନ ଗ୍ୟାଙ୍ଗରେ ଚତୁରତାର ସହିତ ନିଜର ଲୋକଙ୍କୁ ସାମିଲ କରାଇ ଦେଇଥିଲେ। ସେହି ସମୟରେ ବୀରାପ୍ପାନ ଗ୍ୟାଙ୍ଗରୁ ଲୋକଙ୍କ ସଂଖ୍ୟା ହ୍ରାସ ପାଉଥିଲା। ବିଜୟ କୁମାର ଏହି କଥା ବେଶ ଭଲ ଭାବେ ଜାଣି ପାରିଥିଲେ। ସେହି ଦିନ ୨୦୦୪ ଅକ୍ଟୋବର ୧୮ ଥିଲା। ବୀରାପ୍ପାନ ନିଜର ଆଖି ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିଲା। ଜଙ୍ଗଲ ବାହାରେ ପପିରାପଟ୍ଟୀ ଗାଁରେ ତା ପାଇଁ ଏକ ଆମ୍ବୁଲାନ୍ସ ଛିଡ଼ା ହୋଇଥିଲା। ସେଥିରେ ସେ ଚଢି ଯାଇଥିଲା।
ବୀରାପ୍ପାନକୁ ଜଣାନଥିଲା ଯେ ସେହି ଆମ୍ବୁଲାନ୍ସ ପୋଲିସର। ଗାଡ଼ିକୁ ଚାଲାଉଥିଲେ ଏସଟିଏଫର ଜଣେ କର୍ମଚାରୀ। ଯୋଜନା ମୁତାବକ ପୋଲିସ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା। ସେହି ସମୟରେ ଡ୍ରାଇଭର ଅଚାନକ ରାସ୍ତାରେ ଆମ୍ବୁଲାନ୍ସକୁ ରଖି ଫେରାର ମାରିଥିଲା। ବୀରାପ୍ପାନ କିଛି ବୁଝିବା ପୂର୍ବରୁ ଚାରିପଟୁ ଆମ୍ବୁଲାନ୍ସ ଉପରେ ଗୁଳିବର୍ଷଣ ହୋଇଥିଲା। ଏଥିରେ ବୀରାପ୍ପାନର ମୃତ୍ୟୁ ଘଟିଥିଲା।
କିଏ ଏହି ବିଜୟ କୁମାର ?
କୁଖ୍ୟାତ ତସ୍କର ବୀରାପ୍ପାନ ପର୍ୟ୍ୟଥନ୍ତ ପହଞ୍ଚିବା ପାଇଁ ତିନୋଟି ରାଜ୍ୟର ପୋଲିସ ଓ ସେନାକୁ ବହୁତ ସମୟ ଲାଗି ଯାଇଥିଲା। ମାତ୍ର ଆଇପିଏସ ବିଜୟ କୁମାରଙ୍କ ନେତୃତ୍ଵରେ ଚଲାଯାଇଥିବା ଅପରେସନ ଶେଷରେ ସଫଳ ହୋଇଥିଲା। ବିଜୟ କୁମାର ନିଜର ପୁସ୍ତକରେ ଲେଖିଛନ୍ତି ଯେ ୧୯୭୫ରେ ତାମିଲନାଡୁ କ୍ୟାଡରର ଆଇପିଏସ ହେବା ପରେ ସ୍ପେଶାଲ ସିକ୍ୟୁରିଟି ଗ୍ରୁପରେ ସେ କାମ କରିଥିଲେ।
ସ୍ପେଶାଲ ଟାକ୍ସଫୋର୍ସରେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ଚନ୍ଦନ ତସ୍କର ବୀରାପ୍ପାନଙ୍କୁ ମାରିବାର ଦାୟିତ୍ଵ ଦିଆଯାଇଥିଲା। ଏହା ପରେ ବିଜୟ ଅନେକ ବର୍ଷ ପର୍ଯ୍ୟନ୍ତ ବୀରାପ୍ପାନର ସନ୍ଧାନରେ ଜୁଟିଥିଲେ। ସେ ଅପରେସନ ‘କୋକୁନ’ର ମଧ୍ୟ ନେତୃତ୍ଵ ନେଇଥିଲେ। ବିଜୟ କୁମାର ବନ୍ନାରୀ ଅମ୍ମାନ ମନ୍ଦିରରେ ଶପଥ ନେଇଥିଲେ ଯେ, ଯେ ପର୍ଯ୍ୟନ୍ତ ସେ ବୀରାପ୍ପାନଙ୍କୁ ନ ଧରିଛନ୍ତି ସେ ପର୍ଯ୍ୟନ୍ତ ମୁଣ୍ଡର ଚୁଟି କାଟିବେ ନାହିଁ।