ସୂଚନାନୁଯାୟୀ, ଏହି ପ୍ରବେଶିକା ପରୀକ୍ଷା ଦାୟିତ୍ବ ୩ଟି ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। କଳା ବିଭାଗର ୨୪ଟି ବିଷୟର ପରୀକ୍ଷା ପରିଚାଳନା ଉତ୍କଳ ବିଶ୍ବବିଦ୍ୟାଳୟ, ବିଜ୍ଞାନ ବିଭାଗର ୨୦ଟି ବିଷୟର ପରୀକ୍ଷା ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବାଣିଜ୍ୟ ବିଭାଗର ୮ଟି ବିଷୟର ପରୀକ୍ଷା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କରିବ। ପ୍ରଥମ ବିଷୟ ଲାଗି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦୦ ଟଙ୍କା ଫି’ ରହିଥିବା ବେଳେ ପରବର୍ତ୍ତୀ ବିଷୟଗୁଡ଼ିକ ପିଛା ୨୦୦ ଟଙ୍କା ଲେଖାଏଁ ଦେବାକୁ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି କମନ୍ ଆପ୍ଲିକେସନ ଫର୍ମ ବାବଦରେ ୫୦୦ ଟଙ୍କା ରଖାଯାଇଥିବା ବେଳେ ଏସ୍ସି/ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟଙ୍କା, ଭିନ୍ନକ୍ଷମ ଓ କିନ୍ନରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଫି’ କେବଳ ଅନ୍ଲାଇନ୍ରେ ଡିପୋଜିଟ୍ କରାଯିବ।
କରୋନା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରାଯିବ। ରେଭେନ୍ସା, ଉତ୍କଳ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଗଙ୍ଗାଧର ମେହେର, ଫକୀର ମୋହନ, ଉତ୍ତର ଓଡ଼ିଶା(ଉଭୟ କ୍ୟାମ୍ପସ), କଳହାଣ୍ଡି, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ବିକ୍ରମ ଦେବ ସ୍ବୟଂଶାସିତ କଲେଜ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ କଲେଜ, କେନ୍ଦୁଝର ସରକାରୀ ସ୍ବୟଂଶାସିତ କଲେଜ, ରାଉରକେଲା ସ୍ବୟଂଶାସିତ କଲେଜ, ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରିବାକୁ ସ୍ଥିର ହୋଇଛି। ଯଦି ଆବଶ୍ୟକ ପଡ଼େ ସମସ୍ତ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଘୋଷଣା କରାଯିବ। ବିଶ୍ବବିଦ୍ୟାଳୟ ଓ କଲେଜରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ୍, ମାର୍କସିଟ୍ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ଛାତ୍ରଛାତ୍ରୀ www.dheodisha.gov.in ଓ www.samsodisha.gov.in , ବିଶ୍ବବିଦ୍ୟାଳୟ ଓ କଲେଜର ୱେବସାଇଟ୍କୁ ଯାଇ ହଷ୍ଟେଲ ସିଟ୍ ଓ ଅନ୍ୟାନ୍ୟ ଫି’ ବାବଦରେ ଜାଣିପାରିବେ।