Tue. Mar 10th, 2026

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

185 Views

ପୁରୀ : ପୁରୀ ବ୍ରହ୍ମଗିରିରେ ଆଜିଠାରୁ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ରଥଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ରୂପରେ ମହାପ୍ରଭୁ ଦର୍ଶନ ଦେବେ । ସେଥିପାଇଁ ଆଜି ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଧାଡ଼ି ସାଙ୍ଗକୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି । ସ୍ନାନବେଦୀରୁ ପହଣ୍ଡି ଯିବାବେଳେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରେ ଅଟକିଛନ୍ତି।

ଗତକଲିଠାରୁ ଏଠାରେ ମହାପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହୋଇଛି । ଅଣସରବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ଦିଆଯାଇଛି। ମହାପ୍ରଭୁଙ୍କ ଅଣସର ବେଳର ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି। ଅଣସର ତାଟି ସମ୍ମୁଖରେ ପଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଆଜିଠାରୁ ଭକ୍ତମାନେ ଏହି ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି। କିମ୍ବଦନ୍ତୀ ମୁତାବକ, ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ଭାବେ ଭକ୍ତ ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠକୁ ଦର୍ଶନ ପାଇଁ ଯାଇଥାନ୍ତି।

ପଟିଦିଅଁଙ୍କୁ ଭକ୍ତମାନେ ଦଶ ଅବତାର ଭାବେ ବିବେଚନା କରିଥାନ୍ତି। ପଟିଦିଅଁ ବାସୁଦେବଙ୍କ ସହିତ ଦୋଳଗୋବିନ୍ଦ, ରାମ-ନୃସିଂହ, ଭୁବନେଶ୍ବରୀଙ୍କ ପାର୍ଶ୍ବରେ ଭୂଦେବୀ, ଶ୍ରୀଦେବୀ, ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ ଶ୍ରୀକୃଷ୍ଣ ବିଜେ କରିବାର ପରମ୍ପରା ରହିଛି।

ସେଠାରେ ମହାପ୍ରଭୁ ବିଜେ କରିଥାନ୍ତି ବୋଲି ବିଶ୍ବାସ କରାଯାଏ। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅର୍ଥାତ ଆଜିଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଅଲାରନାଥଙ୍କ ପୀଠରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

By amfnews

Related Post