Sat. Mar 7th, 2026

ଆଜିଠାରୁ ‘କିଟ୍’ରେ ବିଶ୍ବ କବି ମହାକୁମ୍ଭ: ୮୨ଦେଶରୁ ୧ ହଜାର କବି ଅଂଶଗ୍ରହଣ କରିବେ

189 Views

ଭୁବନେଶ୍ବର  : କିଟ୍‌ରେ ଅନୁଷ୍ଠିତ ହେବ ‘ବିଶ୍ୱ କବି ମହାକୁମ୍ଭ’। ଅକ୍ଟୋବର ୨ରୁ ୬ ତାରିଖ ପର୍ଯ୍ୟନ୍ତ ବିଶ୍ବର ଏହି ସର୍ବବୃହତ୍‌ କବି ମହାକୁମ୍ଭରେ ୮୨ଟି ଦେଶରୁ ୧ହଜାର କବି ଓ ପ୍ରତିନିଧି ଅଂଶଗ୍ରହଣ କରିବେ। ଓଡ଼ିଶାରୁ ମଧ୍ୟ ୫ଶହ କବି ସାମିଲ୍‌ ହେବେ। ଦେଶରେ ୩ୟ ଥର ଓ ରାଜ୍ୟରେ ପ୍ରଥମଥର ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବାହାରେ ପ୍ରଚାର ପ୍ରସାରରେ ଏହି ବୃହତ୍‌ କବି ସମ୍ମିଳନୀ ଅଂଶୀଦାର ହେବ ବୋଲି ଆୟୋଜିତ ହେବାକୁ ଯାଉଥିବା ୩୯ତମ ବିଶ୍ବ କବି ସମ୍ମିଳନୀର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି।

ଏହି ଅବସରରେ ୱାର୍ଲଡ୍‌ କଂ‌ଗ୍ରେସ ଅଫ୍‌ ପୋଏଟ୍ସ (ଡବ୍ଲୁସିପି)ର ସୁବର୍ଣ୍ଣ ଜୟନ୍ତୀ ହୋଇଥିବାରୁ ଏହା କିଟ୍‌ରେ ସ୍ବତନ୍ତ୍ର ଭାବେ ପାଳନ କରାଯାଉଛି। ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଡବ୍ଲ୍ୟୁସିପିର ସର୍ବୋଚ୍ଚ ସମ୍ମାନ ‘ଗୋ‌ଲ୍‌ଡେନ୍‌ ଗାବେଲ୍’ ପୁରସ୍କାର ପ୍ରଦାନ କରାଯିବ। ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ‘ଗାନ୍ଧୀ ପୁରସ୍କାର’ ପ୍ରଦାନ କରାଯିବ। ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡବ୍ଲ୍ୟୁସିପି ପକ୍ଷରୁ ସମ୍ମାନସୂଚକ ଡିଲିଟ୍ ପ୍ରଦାନ କରାଯିବ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷକୁ ଦୃଷ୍ଟିରେ ରଖି ବିଶ୍ୱ କବି ସମ୍ମିଳନୀର ବିଷୟ ବସ୍ତୁ ରଖାଯାଇଛି ‘କବିତା ମାଧ୍ୟମରେ ଦୟା’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାକୁ ଥିବା ବ‌େଳେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କବି, ଲେଖକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିବା ସହ ତାହା ଉପରେ ଆଲୋଚନା ଓ ସମୀକ୍ଷା କରିବେ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତିକୁ ଲୋକାର୍ପଣ କରାଯିବ। ୮୨ଟି ଦେଶରୁ ଆସିଥିବା ୧ହଜାରରୁ ଅଧିକ କବି ପ୍ରତିନିଧି ଉନ୍ମୋଚନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପ୍ରତିନିଧିମାନେ କିସ୍‌ର ୨୭,୫୦୦ ଜନଜାତି ଛାତ୍ରଛାତ୍ରୀଙ୍କ ସହ ଗାନ୍ଧୀ ଜୟନ୍ତୀ ପାଳନ କରିବେ। ଏହା ବ୍ୟତୀତ ଗାନ୍ଧୀଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିବା ଏକ ଅତ୍ୟାଧୁନିକ ସର୍ବସାଧାରଣ ପାଠାଗାର ଉଦ୍‌ଘାଟନ କରାଯିବ। ଏନେଇ କିଟ୍‌ର କ୍ୟାମ୍ପସ୍‌କୁ ଆକର୍ଷଣୀୟ ଭାବେ ସଜାଯାଇଛି।

By amfnews

Related Post