Tue. Mar 10th, 2026

ଆଖି ବୁଜିଲା ‘ଗୌରୀ’; ହରପିସ୍ ନେଲା ଜୀବନ

155 Views

ଭୁବନେଶ୍ୱର : ଜୁଲି’,  ‘ଚନ୍ଦନ’  ‘କମଳା’ ପରେ ଆଖି ବୁଜିଲା ୭ ବର୍ଷର ଛୁଆ ହାତୀ ‘ଗୌରୀ’। ହରପିସ୍‌ ଭୂତାଣୁ କବଳରୁ ଗୌରୀକୁ ମୁକୁଳାଇ ପାରିଲେନି ନନ୍ଦନକାନନ କର୍ତ୍ତୃପକ୍ଷ। ଏହି ଭାଇରସ ଏପରି ଘାତକ ରୂପ ନେଲାଣି ଯେ, ମାସକ ମଧ୍ୟରେ ନନ୍ଦନକାନନରେ ୪ ହାତୀ ଆଖି ବୁଜିଲେଣି। ଗୌରୀ ସ୍ୱାସ୍ଥ୍ୟବସ୍ଥାରେ କ୍ରମଶଃ ସୁଧାର ଆସୁଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହୁଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି ଏହି ଛୁଆ ହାତୀ।

ଗତକାଲି  ରାତି  ୯ଟା ୫୧ ମିନିଟ୍‌ରେ ‘ଗୌରୀ’ ପ୍ରାଣ ହରାଇଥିବା ନନ୍ଦନକାନନ  କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭୟଙ୍କର  ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ‘ଗୌରୀ’ କିଛି ଦିନ ହେଲା ଅସୁସ୍ଥ ଥିଲା। ତାର ନିୟମିତ ଚିକିତ୍ସା ଚାଲିଥିବା ବେଳେ ପ୍ରତି ୧୨ ଘଣ୍ଟାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା।  ସଂକ୍ରମଣ ଆଶଙ୍କାରେ ଅନ୍ୟ ହାତୀଙ୍କଠାରୁ ତାକୁ ଅଲଗା ମଧ୍ୟ ରଖାଯାଇଥିଲା।

ଗୌରୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧୁରି ଆସୁଥିବା ନେଇ ଗତକାଲି  ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ହେଲେ ହରପିସ୍ ଦାଉରୁ ସେ ବର୍ତ୍ତି  ପାରି ନଥିଲା। ୨୦୧୨ ମସିହା ଡିସେମ୍ବରରେ ଆଠଗଡ଼ ବନାଞ୍ଚଳରୁ ‘ଗୌରୀ’କୁ ନନ୍ଦନକାନନକୁ ଅଣାଯାଇଥିଲା। ଗତ ୨୫ ଦିନ ମଧ୍ୟରେ ୪ ହାତୀଙ୍କ ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି।

ଏହାପୂର୍ବରୁ ଅଗଷ୍ଟ ୨୫ ତାରିଖରେ  ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ‘ଚନ୍ଦନ’ ଏବଂ ୧୯  ତାରିଖରେ ‘କମଳା’ର ମୃତ୍ୟୁ ହୋଇଛି। ଏବେ ‘ଗୌରୀ’ର  ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ  ସଂଖ୍ୟା ୮ରୁ ୪କୁ ଖସି ଆସିଛି।  ଯାହା ଏବେ  ଉଦ୍‌ବେଗର  ବିଷୟ ପାଲଟିଛି। ଏବେ କିପରି ଅନ୍ୟ ହାତୀଙ୍କୁ ହରପିସ୍ ଭୂତାଣୁ ସଂକ୍ରମଣ ନ ବ୍ୟାପିବ ସେ ନେଇ ଠୋସ୍ ପଦକ୍ଷେପ ସହ ସଚେତନତା  ଆବଶ୍ୟକ ରହିଛି।

By amfnews

Related Post