ଦୁବାଇ, ଅକ୍ଟୋବର ୦୩ : ପଦାର୍ପଣ ମ୍ୟାଚରେ ସନ୍ରାଇଜର୍ସ ହ୍ରାଇଦ୍ରାବାଦ ଟିମର ଯୁବ ଖେଳାଳି ଅର୍ଦ୍ଧଶତକ ହାସଲ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୦ର ଚତୁର୍ଦ୍ଦଶ ମ୍ୟାଚରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସକୁ ହାଇଦ୍ରାବାଦ ୭ ରନରେ ପରାସ୍ତ କରିଛି । ଦୁବାଇ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ଟିମ ୨୦ ଓଭରରେ ୫ଟି ୱକେଟ ହରାଇ ୧୬୪ ରନ କରିଥିଲା ।
ପ୍ରଥମ ଇନିଂସରେ ଅଧିନାୟକ ୱାର୍ଣ୍ଣରଙ୍କ ୨୯ ରନ, ମନୀଷ ପାଣ୍ଡେଙ୍କ ୨୯ ରନ ଓ ଅଭିଷେକ ଶର୍ମା ୩୧ ରନ କରିଥିଲେ । ସେହିପରି କେନ ୱିଲିୟମସନ ୯ ରନ ଓ ଅବଦୁଲ ସାମନ୍ଦ ୮ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ୧୬୫ ରନ ବିଜୟ ଲକ୍ଷ ନେଇ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ଟିମ ୨୦ ଓଭରରେ ୫ଟି ୱିକେଟ ହରାଇ ୧୫୭ ରନ କରିଥିଲା । ଧୋନୀ ମ୍ୟାଚ ଜିତିବା ପାଇଁ ବହୁ ଉଦ୍ୟମ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ଖେଳି ମଧ୍ୟ ଦଳକୁ ବିଜୟୀ କରିପାରି ନଥିଲେ । ଧୋନୀଙ୍କ ବ୍ୟାଟରୁ ୩୬ଟି ବଲରେ ଅପରାଜିତ ୪୭ ରନ ମିଳିଥିଲା । ଏଥିରେ ୪ଟି ଚୌକା ଓ ଗୋଟିଏ ଛକ୍କା ସାମିଲ ଥିଲା । ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୩୫ଟି ବଲ ଖେଳି ୫୦ ରନ ଯୋଡ଼ିଥିଲେ । ସାମ କୁରାନ ୫ଟି ବଲ ଖେଳି ୧୫ ରନ କରିଥିଲେ ।