Tue. Dec 24th, 2024

ଆଇଜିଏଚ୍କୁ ମେଡିକାଲ କଲେଜ ଓ ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠାର ବାସ୍ତବତା କେତେ – କଂଗ୍ରେସ

By amfnews Jun 23, 2018 #Featured
187 Views

ରାଉରକେଲା, ୨୩/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି । ଆଇଜିଏଚ୍କୁ ମେଡିକାଲ କଲେଜ ଓ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବା ନିଶ୍ଚିତ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହୁଛନ୍ତି ।

ତେବେ ଏହାର ବାସ୍ତବତା କେତେ ତାହା ରାଉରକେଲାବାସୀଙ୍କୁ ଭଲଭାବେ ଜଣା ବୋଲି ଜିଲା କଂଗ୍ରେସ ସଭାପତି ରବି ରାୟ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଏବଂ ରାଜ୍ୟର ବିଜେଡି ସରକାର ବିଭିନ୍ନ ସମୟରେ ରାଉରକେଲା ବାସୀଙ୍କୁ ପ୍ରତାରଣା କରିଆସିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟସେବା ଭଳି ଏକ ମୌଳିକ ସେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେବା ରାଉରକେଲା ତଥା ସୁନ୍ଦରଗଡ ଜିଲାବାସୀଙ୍କ ପାଇଁ ଉପହାସ ସଦୃଶ ହୋଇଛି ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ବିଜେପି ନେତୃବୃନ୍ଦ ଏଥିପାଇଁ କାର୍ଯ୍ୟାରମ୍ଭ ହୋଇଗଲାଣି ବୋଲି କହୁଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାଉରକେଲା ଗସ୍ତ କରି ଆଇଜିଏଚ୍ରେ ୨ କିମ୍ବା ୩ଟି ବିଭାଗର ଶୁଭାରମ୍ଭ କରିଦେଲେ । ଏହି ବ୍ୟବସ୍ଥା ଆରମ୍ଭ ହୋଇଯିବ ବୋଲି ବିଜେପି ଯେଉଁ ଧାରଣା ସୃଷ୍ଟି କରିବାକୁ ଚାହୁଁଛି ସେଥିରେ କିଛି ବାସ୍ତବତା ନାହିଁ । ଆଇଜିଏଚ୍ରେ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ରହିଛି । କେବଳ ଡାକ୍ତର ନୁହେଁ ବରଂ ଆନୁଷଙ୍ଗିକ ବ୍ୟବସ୍ଥାର ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି । ପ୍ରଥମେ ଏହି ମୌଳିକ ଦିଗପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ।

ଏହା ନ ହେଲେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କେବଳ ଧୂଆଁ ବାଣରେ ପରିଣତ ହେବା ସାରହେବ । ତୁରନ୍ତ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାନଗଲେ ଜିଲା କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ରାୟ ଚେତାବନୀ ଦେଇଛନ୍ତି । ରାଉରକେଲାର ବିକାଶକୁ ନେଇ କଂଗ୍ରେସ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିବ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।

By amfnews

Related Post