Mon. Dec 23rd, 2024

ଅଡ଼ୁଆରେ ମହାରଥୀ: କଂଗ୍ରେସ୍‌ ମାରିଲା ଅଣ୍ଡା, ରାଜରାସ୍ତାକୁ ଓହ୍ଲାଇବାକୁ ବିଜେପିର ଧମକ

By amfnews Dec 27, 2018 #Featured
436 Views

ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ବୟାନକୁ ନେଇ ଅଡୁଆରେ ପଡ଼ିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ,କଂଗ୍ରେସ ଓ ବିଜେପି।

ଆଜିଜି ମହିଳା କଂଗ୍ରେସ୍ କର୍ମୀମାନେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ପ୍ରେସ୍‌ମିଟ୍‌ କରି ବର୍ଷିବା ସହ ତାଙ୍କ ଇସ୍ତଫା ଦାବି କରିଛି। ବିଜେପିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଆଜି ସନ୍ଧ୍ୟାରେ କ୍ୟାବିନେଟରୁ ମହାରଥୀଙ୍କୁ ବହିଷ୍କାର କରିବା ଦାବିରେ ଭୁବନେଶ୍ଵର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।

ଏହି ମାମଲାର ଦୁଇ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନ ଏହି ମାମଲାରେ ତଳ କୋର୍ଟରେ ଦୋଷମୁକ୍ତ ହେବା ପରେ ଗତ ୨୫ ତାରିଖରେ ମହାରଥୀ କହିଥିଲେ, “ତାଙ୍କ ପରିବାର ଲୋକେ ସ୍ୱୀକାର କରିଛନ୍ତି ଓ ଖବରକାଗଜରେ ବାହାରିଛି ଯେ ଯାହା ନ୍ୟାୟ ହୋଇଛି ଠିକ୍‌ ହୋଇଛି। ଦିନେ ନା ଦିନେ ସତ୍ୟର ବିଜୟ ହେବ। ଛବିରାଣୀର ବିଜୟ ହୋଇଥିଲା। ବେବିନାର ବି ବିଜୟ ହେଲା।”

ମନ୍ତ୍ରୀଙ୍କ ଏହି ବୟାନକୁ ନେଇ  ରାଜ୍ୟ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ କଂଗ୍ରେସର ମହିଳା ମୋର୍ଚ୍ଚା ମହାରଥୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା, ଟମାଟୋ ଓ ଝାଡୁ ମାଡ଼ କରିଛନ୍ତି। ନିଜ ବୟାନ ପାଇଁ ମହାରଥୀ କ୍ଷମା ମାଗନ୍ତୁ ଓ ମନ୍ତ୍ରୀପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ମହିଳା କଂଗ୍ରେସ। ମନ୍ତ୍ରୀଙ୍କ ବୟାନ କେବଳ ପୀଡ଼ିତା ନୁହଁନ୍ତି ବରଂ ସମଗ୍ର ମହିଳା ଜାତି ପ୍ରତି ଅସମ୍ମାନ ବୋଲି ଦଳ କହିଛି। ମହାରଥୀ ଇସ୍ତଫା ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମଧ୍ୟ ଦଳ ଚେତାବନୀ ଦେଇଛି।

maharathiରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନ କହିଛନ୍ତି, “ଆମେ ତ ଖାଲି ଅଣ୍ଡା ମାଡ଼ କରିଛୁ। ୟାଙ୍କୁ ଚପଲରେ ମାରିବା କଥା। ସେ ଲୋକ (ମହାରଥୀ)କୁ ଲଜ୍ଜ୍ୟା ଲାଗିବା କଥା। ନବୀନ ପଟ୍ଟନାୟକ ଏଠି ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି, “ପ୍ରଥମେ ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ଓ ତୁରନ୍ତ ଇସ୍ତଫା ଦିଅନ୍ତୁ। ଯଦି ଇସ୍ତଫା ନଦିଅନ୍ତି, ଅଣ୍ଡା କ’ଣ ଆଉ କିଛି ବି ତାଙ୍କ ଉପରକୁ ଫିଙ୍ଗାଯିବ।”

ବିଜେପି ମଧ୍ୟ ଏହି ଘଟଣାରେ ମହାରଥୀଙ୍କୁ ଘେରିଛିା ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହାପରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସହ ଏକ ଟିମ୍ ପୀଡ଼ିତାଙ୍କ ଗାଁକୁ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଦଳ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିବା ସହ ୨୪ ଘଣ୍ଟା ମଧ୍ୟରେ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରା ନଗଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି।

ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, “ମହିଳାଙ୍କ ପାଇଁ ଯଦି ଦରଦ ଅଛି, ମହିଳା ସଶକ୍ତିକରଣ କଥା କହି ନିଜେ ନିଜର ପ୍ରଶଂସା କରୁଛନ୍ତି ଏହି ସରକାର, ତାହାହେଲେ ସାଙ୍ଗେ ସାଙ୍ଗେ ସେ ମନ୍ତ୍ରୀଙ୍କୁ ହଟାନ୍ତୁ।”

ସେପଟେ ବିଜେଡି ଏହାକୁ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, “କୋର୍ଟ ରାୟ ଦେବା ପରେ ତାକୁ ନେଇ ବିବାଦ କରିବା କ’ଣ ଉଚିତ ? ରାଜନୈତିକ ଉଦ୍ଦେଶ୍ୟରେ ଏମିତି କରୁଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବା କୋର୍ଟଙ୍କ ଦାୟିତ୍ୱ। ତାହାର ଉତ୍ତର କିଏ ଦେବ ?”

ସେପଟେ ଦୁଇ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନ ଏହି ମାମଲାରେ ତଳ କୋର୍ଟରେ ଦୋଷମୁକ୍ତ ହେବାପରେ ଘଟଣାର ସିବିଆଇ ତଦନ୍ତ ପାଇଁ ପୁଣି ଥରେ ଦାବି କରିଛନ୍ତି ପୀଡ଼ିତାଙ୍କ ବାପାମାଆ। ଦୋଷୀକୁ ଫାଶୀ ମିଳିଲେ ହିଁ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ତାଙ୍କ ମାଆ କହିଛନ୍ତି।

କେବଳ ପିପିଲି ପୀଡ଼ିତା ମାମଲା ନୁହେଁ, ପୂର୍ବରୁ ବି ଅନେକ ଥର ବିବାଦୀୟ ମନ୍ତବ୍ୟ ରଖି ମହାରଥୀ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ପିପିଲି ଗଣବଳାତ୍କାର ଘଟଣାରେ ମହାରଥୀ ୨୦୧୨ରେ ମନ୍ତ୍ରିପଦ ବି ହରାଇ ସାରିଛନ୍ତି। ଏବେ ପୁଣି ମାମଲାକୁ ନେଇ ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି

By amfnews

Related Post