Mon. Mar 9th, 2026

ଅହମଦାବାଦ ଆମ୍ୟୁଜ୍‌ମେଣ୍ଟ୍‌ ପାର୍କରେ ଜୟରାଇଡ୍‌ ଖସି ପଡ଼ିବାରୁ ଦୁଇ ମୃତ ୨୭ ଆହତ

205 Views

ଅହମଦାବାଦ : ରବିବାର ସନ୍ଧ୍ୟାରେ ଅହମଦାବାଦର କଙ୍କରିଆ ହ୍ରଦ ଅଞ୍ଚଳରେ ଥିବା ଏକ ମନୋରଞ୍ଜନ ଉଦ୍ୟାନରେ ଗୋଟାଏ ଜୟରାଇଡ୍‌ ଖସିପଡ଼ିବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟୂନ ୨୭ ଜଣ ଆହତ ହୋଇଛନ୍ତି।

ଅହମଦାବାଦ ମ୍ୟୁନିସିପାଲ୍‌ କମିସନର୍‌ ବିଜୟ ନେହରା କହିଛନ୍ତି ଯେ ଆହତମାନଙ୍କୁ ଏଲ୍‌ଜି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତଦନ୍ତ ପାଇଁ ଆଦେଶ ଦିଆଯାଇଛି। ଦୁର୍ଘଟଣାର କାରଣ ଜାଣିବାକୁ ପୁଲିସ ଏବଂ ଫୋରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇଛନ୍ତି। ଅହମଦାବାଦ ମେୟର ବିଜଲ ପଟେଲ୍‌ କହିଛନ୍ତି ଯେ ଡାକ୍ତରଖାନାକୁ ଅଣାଯାଇଥିବା ୨୯ ଜଣ ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବାକି ୨୭ ଜଣଙ୍କର ଚିକିତ୍ସା ଚାଲିଛି।

ମୃତାହତ ବ୍ୟକ୍ତିମାନେ ପ୍ରାପ୍ତ ବୟସ୍କ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଅହମଦାବାଦ ମ୍ୟୁନିସିପାଲ୍‌ କର୍ପୋରେସନ୍‌ର ମୁଖ୍ୟ ଅଗ୍ନିଶମ ଅଧିକାରୀ ଏମ୍‌ଏଫ୍‌ ଦସ୍ତୁର କହିଲେ ଯେ ‘ଡିସ୍କଭରି’ ନାମକ ଜୟରାଇଡ୍‌ର ମୁଖ୍ୟ ସାଫ୍‌ଟ୍‌ ଭାଙ୍ଗିପଡ଼ିବାରୁ ଏହା ଖସି ପଡ଼ିଥିଲା। ଏହି ରାଇଡ୍‌ରେ ୩୨ ସିଟି ରହିଛି। ମୁଖ୍ୟ ସାଫ୍‌ଟ୍‌ର ପାଇପ୍‌ ଭାଙ୍ଗି ଯିବାରୁ ଏହା ତଳକୁ ଖସିପଡ଼ିଲା। ସେ ପାଇପ୍‌ କେମିତି ଭାଙ୍ଗିଲା ତାହା ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲାବରେଟରିର ତଦନ୍ତ କରିବ।

By amfnews

Related Post