Tue. Mar 10th, 2026

ଅସୁରକ୍ଷିତ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ : ପର୍ଯ୍ୟଟକଙ୍କ ମୁଣ୍ଡରେ ଇଟା ଛେଚି ଚେନ୍ ଲୁଟିନେଲେ

229 Views

ପୁରୀ, ଜାନୁୟାରୀ ୦୭  : ଶ୍ରୀକ୍ଷେତ୍ରକୁ ନେଇ ଓଡ଼ିଆମାନେ ସାରା ବ୍ରହ୍ମାଣ୍ଡରେ ଗର୍ବିତ ହେଉଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାଙ୍ଗକୁ ଏଠାରେ ଥିବା ମନୋରମ ବେଳାଭୂମି, ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କିନ୍ତୁ ଏଠାରେ ସୁରକ୍ଷିତ ନୁହନ୍ତି। ନିକଟରେ ଜଗନ୍ନାଥ ବଲ୍ଲଭ ମଠସ୍ଥିତ ପାର୍କିଂ ଅଞ୍ଚଳରେ ପର୍ଯ୍ୟଟକମାନଙ୍କର ବ୍ୟାଗ ଲୁଟିବା ପାଇଁ ଜଣେ କାର ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆଜି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ କାର୍‌ ଯୋଗେ ଯାଉଥିବା ପର୍ଯ୍ୟଟକଙ୍କୁ ଦୁଇଜଣ ଲୁଟେରା ମରଣାନ୍ତକ ଆକ୍ରମଣ କରି ସୁନା ଚେନ୍ ଲୁଟି ନେଇଛନ୍ତି। ଲୁଟେରାଙ୍କ ଆକ୍ରମଣରେ ଜଣେ ରକ୍ତାକ୍ତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ଉଦିତ୍‌ ନଗର ଥାନା ବାସନ୍ତୀ କଲୋନୀର ମହେଶ୍ବର ମିଶ୍ର (୬୦)ଙ୍କ ପରିବାର ଭୁବନେଶ୍ବରରେ ଚାକିରି କରିଥିବା ପୁଅ ସନ୍ତୋଷ (୩୧) ପାଖକୁ ଆସିଥିଲେ। ସନ୍ତୋଷ ଭୁବନେଶ୍ବରସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ଡେପୁଟି ଡାଇରେକ୍ଟର ଅଛନ୍ତି। ରବିବାର ସକାଳେ ସନ୍ତୋଷ ଓ ତାଙ୍କ ପରିବାର ସଦସ୍ୟ ନିଜ କାର (ଓଡି-୦୫-ଏନ୍-୦୦୨୧)ରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଭୁବନେଶ୍ବର ଫେରିଥିଲେ। ତେବେ ସନ୍ଧ୍ୟାରେ ଚାରିନଳା ବସନ୍ତେଇ ମନ୍ଦିର ନିକଟରେ ଟ୍ରାଫିକ୍ ଜାମ ଯୋଗୁ ତାଙ୍କ ଗାଡ଼ି ଅଟକିଥିଲା। ଫଳରେ କାର ଚଳାଉଥିବା ସନ୍ତୋଷ କାର୍‌ ଡୋର୍‌ ଗ୍ଲାସ୍‌ ତଳକୁ କରି ଦେଇଥିଲେ।

ଏହି ସମୟରେ ବାଇକ୍‌ରେ ବସିଥିବା ଦୁଇଜଣ ଯୁବକ ତାଙ୍କ କାର ପାଖରେ ପହଞ୍ଚିଥିଲେ। ସନ୍ତୋଷ କିଛି ବୁଝିବା ପୂର୍ବରୁ ତାଙ୍କ ବେକରୁ ଜଣେ ସୁନା ଚେନ୍‌ ଝାମ୍ପି ନେଇଥିଲା। ଏହା ଦେଖି ମହେଶ୍ବର ଗାଡ଼ିରୁ ଓହ୍ଲାଇ ଦୁଇ ଲୁଟେରାଙ୍କ ପାଖରେ ପହଞ୍ଚିବା ବେଳେ ସେମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ବାପାଙ୍କୁ ବଞ୍ଚାଇବାକୁ ଯାଇ ସନ୍ତୋଷ ଗାଡ଼ିରୁ ଓହ୍ଲାଇବା ସମୟରେ ଲୁଟେରାଦ୍ବୟ ତାଙ୍କ ମୁଣ୍ଡକୁ ଏକ ଇଟାରେ ଛେଚି ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲା। ଏହି ଘଟଣାକୁ ନେଇ ମହେଶ୍ବର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ଭିନ୍ ଚଳାଇଛି। ରିପୋର୍ଟ ଲେଖାଯିବା ବେଳକୁ ଲୁଟେରାଙ୍କର କିଛି ପତ୍ତା ମିଳିନଥିଲା।

By amfnews

Related Post