Mon. Dec 23rd, 2024

ଅସହାୟ ବୃଦ୍ଧାଙ୍କ ପୁଅ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ

manasranjanbiswal07@gmail.com' By Manas Ranjan Biswal Jul 20, 2018 #Featured
210 Views

ଯାଜପୁର,୨୦/୭: ସ୍ୱାମୀ ଚାଲିଗଲା ପରେ ପେଟ ଭୋକ ସହିନପାରି ପୁଅ ରାଜ୍ୟ ବାହାରକୁ କାମ ତଲାସରେ ଚାଲିଗଲା । ପୁଅ ଯାଇଛି ଯାଇଛି ଯେ, ଆଉ ଫେରିଲାନି । ବର୍ଷେ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୪ ବର୍ଷ ହେଲା ପୁଅର ଫେରିଲା ବାଟକୁ ଚାହିଁ ଚାହିଁ ୭୦ ବର୍ଷିୟ ମା ଏବେ ରୋଗଗ୍ରସ୍ତ । ପୁଅର ସନ୍ଧାନ ପାଇଁ ମା ଅନେକବାର ଥାନାର ଦ୍ୱାରସ୍ଥ ହୋଇଛି । ହେଲେ ହୋଇପାରିନି ଏତଲା ରୁଜୁ କିମ୍ବା ପୋଲିସ ତରଫରୁ ପୁଅ ସନ୍ଧାନ ପାଇଁ କୌଣସି ତଲାସ କରାଯାଇ ନାହିଁ ।

ପୁଅ ତାର ଭଲରେ ଅଛି ବୋଲି ଜୀବନର ଶେଷ ନିଶ୍ୱାସ ସହ ସଂଘର୍ଷ କରୁଥିବା ମା ର ଭରସା ରହିଛି । ବିଚରା ମାର ଦୁନିଆରେ ଆଉ କେହି ନଥିବାରୁ ପୁଅର ସନ୍ଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଆକୁଳ ନିବେଦନ କରି ପତ୍ର ଦେଇଛନ୍ତି ଶାନ୍ତିଲତା ଗିରି, ୬୯ ବର୍ଷ, ସ୍ୱାମୀ- ସ୍ୱର୍ଗତ- କାଙ୍ଗାଳି ଗିରି, ଗ୍ରାମ- ବଡମାଣିତିଆ, ଗ୍ରା.ପ- ସାନମାଣିତିଆ, ଥାନା- ପଟ୍ଟାମୁଣ୍ଡାଇ, ଜି-କେନ୍ଦ୍ରାପଡା । ସେ ଯାଜପୁର ଜିଲ୍ଲାର ଜଣାଶୁଣା ସମାଜେସେବୀ ସତୀଶ ବିଶ୍ୱାଳଙ୍କ ଜରିଆରେ ଗତ ୧୯ ତାରିଖରେ ଏଥିନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏଥିନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ବିଶ୍ୱାଳ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ସରକାର ନିରାଶ୍ରୟ ଏବଂ ବରିଷ୍ଠ ନାଗରିକଙ୍କ ଉଭୟଙ୍କ ପାଇଁ ଯଥେଷ୍ଟ ସମ୍ବେଦନଶୀଳ । ଏ କ୍ଷେତ୍ରରେ ଓଡିଶା ସରକାର ସମଗ୍ର ଦେଶରେ ଦୃଷ୍ଟାନ୍ତ । ସେ ଜଣେ ଅସହାୟ ମହିଳା । ଦୀର୍ଘବର୍ଷ ହେଲା ସ୍ୱାମୀଙ୍କ ପରଲୋକ ହୋଇଯାଇଛି । ନିଜର ପୁଅ ଜୟଦେବ ଗିରି କାମ ଅନ୍ମେଷଣରେ ୧୪ ବର୍ଷ ହେବ ଗାଁ ଛାଡି ଆଉ ଫେରିନାହିଁ । କୌଣସି ଅଘଟଣ ଘଟିନାହିଁ ଏବଂ ପୁଅ ସଂପୂର୍ଣ୍ଣ ସୁସ୍ଥ ରହିଛି ବୋଲି ମା ନିଜର ଧର୍ମ ବିଶ୍ୱାସରେ ଅନୁମାନ କରୁଛନ୍ତି ।

ଏଥିନେଇ ଶାନ୍ତିଲତା ଅନେକବାର ଥାନାରେ ଅଭିଯୋଗ କରିଛନ୍ତି, ହେଲେ ଏତଲା ରୁଜୁ ହୋଇନି କିମ୍ବା କୌଣସି ସୁଫଳ ମିଳିନାହିଁ । ଏବେ ଶାନ୍ତିଲତା ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ରୋଗାକ୍ରାନ୍ତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖି ମୋ ଜରିଆରେ ପତ୍ର ଦେଇଛନ୍ତି । ଏଥିନେଇ ଏତଲା ରୁଜୁ ସହ ପୁଅର ସନ୍ଧାନ ପାଇଁ ବିଦ୍ଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯାଉ । ପୁଅର ସନ୍ଧାନ ମିଳିଲେ ଆମ ସରକାର ପାଇଁ ଏହା ସାଧାରଣରେ ଗୋଟିଏ ଗ୍ରହଣୀୟ ପଦକ୍ଷେପ ହୋଇପାରିବ । ତେବେ ବିଶ୍ୱାଳଙ୍କ ପତ୍ର ସହ ମା ଶାନ୍ତିଲତାଙ୍କ ପତ୍ର ମଧ୍ୟ ସଂଲଗ୍ନ ରହିଛି । ଏଥିରେ ନିଜର ଏକମାତ୍ର ସାହା ଭରସା ପୁଅର ସନ୍ଧାନ ପାଇଁ ଆକୁଳ ନିବେଦନ କରିଛନ୍ତି ।

Related Post