Sun. Mar 8th, 2026

ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇ‍ବାକୁ ଦେଉଛନ୍ତି ଶେଖ୍ ମହମ୍ମଦ କାଶିମ୍

291 Views

କଲ୍ୟାଣସିଂହପୁର :  ଗରିବ ହିଁ ଗରିବକୁ ଚିହ୍ନିଥାଏ। ଦୁଃଖ କ’ଣ ନିଜେ ଅନୁଭବ କରିଥିବାରୁ ଦୁଃଖୀ ଦରିଦ୍ରଙ୍କ କଥା ମଧ୍ୟ ବୁଝିପାରନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଶେଖ୍‌ ମହମ୍ମଦ କାଶିମ। ସେ ସପ୍ତାହର ପ୍ରତି ଗୁରୁବାର ଦିନ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଅନ୍ନଦାନ କରିଥାନ୍ତି।

୨୦ ବର୍ଷ ତଳେ  ଶେଖ୍‌ ମହମ୍ମଦ କାଶିମ କଲ୍ୟାଣସିଂହପୁରକୁ ଆସିଥିଲେ। ସେତେବେଳେ ସେ ଦିନକୁ ଦୁଇ ମୁଠା ଖାଇବାକୁ ପାଉ ନଥିଲେ। ସ୍ତ୍ରୀ ସହିତ ପୁଅ ଓ ଝିଅକୁ ନେଇ କଷ୍ଟରେ ଦିନ କାଟୁଥିଲେ। ପରେ ନାଗାବଳୀ ନଦୀ କୂଳରେ ଛୋଟିଆ କୁକୁଡ଼ା ଦୋକାନ କରି ଦୁଇ ପଇସା ରୋଜଗାର କଲେ।  ବର୍ତ୍ତମାନ ସେ ବେଶ୍ ଖୁସିରେ ରହିଛନ୍ତି। ତେଣୁ ସେ ପୂର୍ବ କଥା ମନେ ପକାଇ ତାଙ୍କ ରୋଜଗାରର କିଛି ଅର୍ଥ ଜାତି ଧର୍ମ ନିର୍ବିଶେଷରେ ଗରିବଙ୍କୁ ଖାଇବାକୁ ଦେଉଛନ୍ତି। ସପ୍ତାହର ପ୍ରତି ଗୁରବାର ଦିନ ତାଙ୍କର ମୁକ୍ତ ଖାଦ୍ୟ ପ୍ରଦାନ କେନ୍ଦ୍ରକୁ ଅସହାୟ ବୃଦ୍ଧବୃଦ୍ଧାଙ୍କ ସୁଅ ଛୁଟିଥାଏ। ଟେବୁଲ, ଚେୟାରରେ ବସି ଭାତ, ତରକାରୀ ସହିତ ମିଠା ପେଟ ପୂରାଇ ଖାଇଥାନ୍ତି। ଖାଇସାରିବା ପରେ ବେଶ୍ ଖୁସିରେ ବୃଦ୍ଧବୃଦ୍ଧା ଆସନ୍ତା ଗୁରବାରକୁ ଅପେକ୍ଷା କରିଥାନ୍ତି।

ଏନେଇ ଶେଖ୍‌ ମହମ୍ମଦ କାଶିମ୍ କହିଛନ୍ତି, “ଭଗବାନଙ୍କ ଦୟାରେ ଏହି ଗାଁକୁ ଆସିଲା ପରେ ଦୋକାନ କରି ଭଲରେ ଚଳୁଛି। ଏବେ ଖାଇବାର କିଛି ଅସୁବିଧା ହେଉନାହିଁ। ତେଣୁ ଗରିବ ଲୋକଙ୍କୁ କିଛି ଖାଇବାକୁ ଦେବା ଉଦ୍ଦେଶ୍ୟରେ ମୁଁ ଏହି କାମ କରୁଛି।  ପ୍ରତି ଗୁରୁବାର ୪୫ରୁ ୫୦ ମଧ୍ୟରେ ଲୋକ ଆସୁଛନ୍ତି।  ବିଶ୍ୱାସରେ ଲୋକମାନେ ଆସୁଥିବାରୁ ସେମାନଙ୍କୁ ପେଟ ପୂରାଇ ଖାଇବାକୁ ଦେବା ଆମର ଧର୍ମ ଓ କର୍ତ୍ତବ୍ୟ। ଆଉ ୧୦୦ ଲୋକ ଆସିଲେ ମଧ୍ୟ ମୁଁ ଖାଇବାକୁ ଦେବି। ଗରିବଙ୍କୁ ଖାଇବାକୁ ଦେଇ ଶାନ୍ତି ଅନୁଭବ କରୁଛି।“

ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ପରିବାର ଲୋକେ ସହଯୋଗ କରୁଛନ୍ତି। କେବଳ ପରିବାର ଲୋକେ ନୁହେଁ  ତାଙ୍କର କାମ ପାଇଁ  ଏହି କଲ୍ୟାଣପୁର ଅଞ୍ଚଳରେ ବେଶ୍‌ ପ୍ରଶଂସା ସାଉଁଟି ପାରିଛନ୍ତି। ସରକାରଙ୍କ ପକ୍ଷରୁ ଶେଖ ମହମ୍ମଦ କାଶିମଙ୍କୁ କ’ଣ ସହଯୋଗ ମିଳିପାରିବ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବି ବୋଲି କଲ୍ୟାଣସିଂହପୁରର ଅତିରିକ୍ତ ତହସିଲଦାର ଗଣେଶ ଦଳେଇ କହିଛନ୍ତି।

By amfnews

Related Post