Tue. Dec 24th, 2024

ଅଷ୍ଟ୍ରେଲିଆ ରିପୋର୍ଟରେ ଖୁଲାସା, ଗତ କିଛି ବର୍ଷ ମଧ୍ୟରେ 16 ହଜାର ମସଜିଦକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ଚୀନ ସରକାର

By amfnews Sep 26, 2020 #Featured
151 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ :  ବିଶ୍ୱର ଅନେକ ଦେଶ ସହ ବର୍ତ୍ତମାନ ଚୀନର ସମ୍ପର୍କ ଭଲ ନାହିଁ । ଏହି ସମୟରେ, ଚୀନ ବିରୁଦ୍ଧରେ ପୁଣି ଏକ ନୂତନ ଖବର ସାମ୍ନାକୁ ଆସିଛି ଯେ ଚୀନ୍ ସରକାର ଜିନଜିଆନ୍ ପ୍ରଦେଶରେ 16 ହଜାରରୁ ଅଧିକ ମସଜିଦକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ଶୁକ୍ରବାର ଦିନ ପ୍ରକାଶିତ ଏକ ରିପୋର୍ଟରେ ଅଷ୍ଟ୍ରେଲୀୟ ଥିଙ୍କ ଟ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ରିପୋର୍ଟରେ ବର୍ଣ୍ଣନା କରାଯାଇଛି ଯେ ଏହି କ୍ଷେତ୍ରରେ ମାନବିକ ଅଧିକାର କିପରି କ୍ଷୂର୍ଣ୍ଣ କରାଯାଉଛି । ଥିଙ୍କ ଟ୍ୟାଙ୍କ ପକ୍ଷରୁ ତା ରିପୋର୍ଟରେ କୁହାଯାଇଛି ଯେ ଉତ୍ତର-ପଶ୍ଚିମ ପ୍ରଦେଶର ଅନେକ ଶିବିରରେ 10 ଲକ୍ଷରୁ ଅଧିକ ଉଇଗର ଏବଂ ଅନ୍ୟ ମୁସଲମାନ ସମ୍ପଦ୍ରାୟର ଲୋକମାନଙ୍କୁ କାରାଗାରରେ ବନ୍ଦୀ କରି ରଖାଯାଇଛି । ଜିନଜିଆନ୍ ପ୍ରଦେଶରେ ପାରମ୍ପାରିକ ତଥା ଧାର୍ମିକ କାର୍ଯ୍ୟକଳାପ ଛାଡିବାକୁ ଲୋକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) ଅନୁଯାୟୀ ପ୍ରାୟ 16,000 ମସଜିଦ ଭାଙ୍ଗି ଦିଆଯାଇଛି କିମ୍ବା ନଷ୍ଟ କରି ଦିଆଯାଇଛି । ଏହି ରିପୋର୍ଟ ସାଟେଲାଇଟ୍ ପ୍ରତିଛବି ଏବଂ ଷ୍ଟାଟିକ୍ ମଡେଲିଂ କୁ ଅନୁସନ୍ଧାନ କରି ପ୍ରସ୍ତୁତ କରାଯାଇଛି | ରିପୋର୍ଟରେ କୁହାଯାଇଛି ଯେ ଗତ ତିନିବର୍ଷ ମଧ୍ୟରେ ଅଧିକାଂଶ ମସଜିଦକୁ ଧ୍ୱଂସ କରାଯାଇଛି । ଏକ ଆକଳନ ଅନୁଯାୟୀ, 8,500 ମସଜିଦ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇଛି । ଅଧିକାଂଶ କ୍ଷତି ଉରୁମକି ଏବଂ କାଶଗାର ଅଞ୍ଚଳରେ କରାଯାଇଛି । ଅନେକ ମସଜିଦ ଯାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନାହିଁ, ସେମାନଙ୍କର ଗମ୍ବୁଜ ଏବଂ ମିନାରଗୁଡିକ ଭାଙ୍ଗି ଦିଆଯାଇଛି । ଜିନଜିଆନରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ 15,500 ମସଜିଦ ବର୍ତ୍ତମାନ କେବଳ ନାମକୁ ମାତ୍ର ରହିଛି । ଯଦି ଏହି ରିପୋର୍ଟ ସତ ହୁଏ, ତେବେ 1960 ଦଶକରେ ସାଂସ୍କୃତିକ ବିପ୍ଳବରୁ ସୃଷ୍ଟି ହୋଇଥିବା ଜାତୀୟ ବିଦ୍ରୋହର ଦଶନ୍ଧି ପରଠାରୁ ଏହି ଅଞ୍ଚଳରେ ଗଢି ଉଠିଥିବା ମୁସଲିମ ମସଜିଦ୍ ଗୁଡିକ ବର୍ତ୍ତମାନ ସବୁଠାରୁ କମ୍ ରହିଯାଇଛି । ଅପରପକ୍ଷେ, ଅଧ୍ୟୟନରେ ଅନ୍ତର୍ଭୁକ୍ତ ଥିବା ସଂସ୍ଥା ଥିଙ୍କ ଟ୍ୟାଙ୍କର ଏହା ମଧ୍ୟ ତାହା ରିପୋର୍ଟରେ ପ୍ରକାଶ କରିଛି ଯେ କୌଣସି ଚର୍ଚ୍ଚ ଏବଂ ବୌଦ୍ଧ ମନ୍ଦିରକୁ କୌଣସି ବି ପ୍ରକାରର କ୍ଷତିଗ୍ରସ୍ତ କରାଯାଇ ନାହିଁ ।

ASPI କହିଛି ଯେ ଜିନଜିଆଙ୍ଗରେ ଥିବା ଦରଗା, ଶ୍ମଶାନ ଏବଂ ତୀର୍ଥସ୍ଥାନ ସମେତ ସମସ୍ତ ମୁସଲିମ ପବିତ୍ର ସ୍ଥାନଗୁଡିକର ଏକ ତୃତୀୟାଂଶ ସ୍ଥାନ ହଟାଇ ଦିଆଯାଇଛି । ଗତ ବର୍ଷ ମଧ୍ୟ AFP ଅନୁସନ୍ଧାନରୁ ଜଣାପଡିଥିଲା ଯେ ଡଜନରୁ ଅଧିକ କବ୍ରସ୍ଥାନକୁ ଧ୍ୱଂସ କରି ଦିଆଯାଇଛି । ଏହି ସମୟରେ ଚୀନ୍ ପକ୍ଷରୁ ଏହି ରିପୋର୍ଟକୁ ଖାରଜ କରାଯିବା ସହ ଦାବି କରାଯାଇଛି ଯେ ଜିନଜିଆନ୍ ପ୍ରଦେଶରେ ନାଗରିକମାନଙ୍କର ସମ୍ପୂର୍ଣ୍ଣ ଧାର୍ମିକ ସ୍ୱାଧୀନତା ରହିଛି । ଏହି ରିପୋର୍ଟ ବିଷୟରେ ପଚରାଯିବାରୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଅନୁସନ୍ଧାନ ପ୍ରତିଷ୍ଠାନର କୌଣସି ବିଶ୍ୱସନୀୟତା ନାହିଁ ଏବଂ ଚୀନ୍ ବିରୋଧରେ ଏହି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରାଯାଇଛି । ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ଏହି ଅଞ୍ଚଳରେ 24 ହଜାର ମସଜିଦ ଅଛି ।

By amfnews

Related Post