Sat. Mar 7th, 2026

ଅମିନ,ଆରଆଇ ପଦବୀକୁ ନେଇ ଗୃହ ସରଗରମ୍

172 Views

ଭୁବନେଶ୍ୱର : ରାଜ୍ୟରେ ଖାଲି ପଡ଼ିଥିବା ଅମିନ,ଆରଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ଆରଆଇ ସର୍କଲ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନହେବାର କାରଣ କ’ଣ ବୋଲି ଆଜି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଠାରୁ ଉତ୍ତର ଚାହିଁଥିଲେ ଶାସକ ଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ।

ସେହିପରି ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ବଲାଙ୍ଗିରରେ ଏହି ସ୍ଥିତି ଅତି ଉତ୍କଟ। ଏଠି ଆର୍‌ଆଇ ଅମିନ ନିଯୁକ୍ତିରେ ବ୍ୟାପକ ଦୁର୍ନୀତିରେ ତତ୍କାଳୀନ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ବେଳେ ଜିଲ୍ଲାରେ କେତେ ପଦବୀ ଖାଲି ରହିଛି ବୋଲି ପ୍ରଶ୍ନ କରିଥିଲେ।

ସବୁଥିରେ ଆରଆଇ ଅମିନ ରିପୋର୍ଟ ଦରକାର ହେଉଥିବା ଏବଂ ଆରଆଇଙ୍କ ଅଭାବ ଯୋଗୁ ଫୋନି ବିପର୍ଯ୍ୟୟ ପରବର୍ତ୍ତୀ କ୍ଷୟକ୍ଷତି ଆକଳନରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଗୃହରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ପ୍ରଶ୍ନ ଉଠାଇଥିଲେ। ଉତ୍ତରରେ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ,“ ରାଜ୍ୟରେ ମୋଟ ମଞ୍ଜୁରପ୍ରାପ୍ତ ୨ ହଜାର ୪୫୩ ଆରଆଇ ପଦବୀରୁ ୫୦୩ଟି ଖାଲି ରହିଛି।

ବଲାଙ୍ଗିରରେ ୮୬ ଅମିନ ପଦବୀରୁ ୮୧ଟି ଖାଲି ପଡ଼ିଥିବା ବେଳେ, ୯୪ ଆରଆଇ ପଦବୀରୁ ୭୫ଟି ଖାଲି ପଡ଼ିଛି। ତେବେ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା କାରଣରୁ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରି ନଥିଲା। ଖାଲି ପଡ଼ିଥିବା ଆରଆଇ ଅମିନ ପଦବୀ ପୂରଣ ନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

By amfnews

Related Post