ମୁମ୍ବାଇ,ଡିସେମ୍ବର 08 : ପ୍ରସିଦ୍ଧ ତାମିଲ ଟିଭି ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ୨୮ ବର୍ଷ ବୟସରେ ପରଲୋକ ହୋଇଛି ତେବେ ଚିତ୍ରା ଆତ୍ମହତ୍ୟା କରିଥିବା କୁହାଯାଉଛି । ଭିଜେ ଚିତ୍ରାଙ୍କ ମୃତଦେହ ଚେନ୍ନାଇ ସ୍ଥିତ ଏକ ହୋଟେଲରୁ ଉଦ୍ଧାର ହୋଇଛି । ଇଭିପି ଫିଲ୍ମ ସିଟିରେ ସୁଟିଂ କରିବା ପରେ ଚିତ୍ରା ରାତି ପ୍ରାୟ ୨ଟା ୩୦ ମିନିଟ୍ ରେ ହୋଟେଲକୁ ଫେରିଥିଲେ । ସେ ହୋଟେଲରେ ତାଙ୍କ ଭାବି ସ୍ବାମୀ ହେମନ୍ତଙ୍କ ସହ ରହୁଥିଲେ ।
ଅନ୍ୟପଟେ ପୋଲିସକୁ ହେମନ୍ତ କହିଛନ୍ତି ଯେ, ହୋଟେଲ ଆସିବା ପରେ ଚିତ୍ରା କହିଥିଲେ ସେ ଗାଧୋଇବାକୁ ଯାଉଛନ୍ତି । ହେଲେ ସେ ବହୁତ ସମୟ ଧରି ଗାଧୁଆଘରୁ ବାହାରିନଥିଲେ । ଗାଧୁଆଘର କବାଟ ବାଡେଇବା ପରେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ । ଏହାପରେ ହେମନ୍ତ ହୋଟେଲର କର୍ମଚାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ଯେତେବେଳେ ଡୁପ୍ଲିକେଟ୍ ଚାବିରେ ଖୋଲିବା ପରେ ସିଲିଂରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ପରଲୋକରେ ତାଙ୍କ ଫ୍ୟାନ୍ସ ଏବଂ ସାରା ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।