Sat. Mar 7th, 2026

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା : ଜେଲ୍‌ଗଲେ ସ୍ବାମୀ ଲିପନ୍‌

381 Views

କଟକ, ଜାନୁଆରୀ ୦୯  : ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ସହିତ ତାଙ୍କ ସ୍ବାମୀ ଲିପନ୍‌ ସାହୁ ଛାତ ଉପରେ ପାଟିତୁଣ୍ତ କରିଥିଲେ। ଠେଲାପେଲା କରିଥିଲେ। ସେହି ସମୟରେ ନିକିତା ଛାତରୁ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ କରୁଥିବା ୩ ଜଣିଆ ଟିମ୍‌ ଆଜି ଡିସିପିଙ୍କୁ ଏଭଳି ଏକ ରିପୋର୍ଟ ଦେଇଛି। ଅନ୍ୟପଟେ ଲିପନ୍‌ଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଲିପନଙ୍କ ବାପା-ମା’ଙ୍କୁ ଥାନାରେ ହାଜର ହେବାକୁ ପୁଲିସ ନୋଟିସ୍‌ ଦେଇଥିଲେ ସୁଦ୍ଧା ସେମାନେ ଆଜି ହାଜର ହୋଇ ନଥିବା ଜଣାପଡ଼ିଛି।

ଲକ୍ଷ୍ମୀପ୍ରିୟା ବେହେରା (ନିକିତା)ଙ୍କ ମହାନଦୀବିହାର ବାପ ଘରକୁ ଗତ ୪ ତାରିଖରେ ତାଙ୍କ ସ୍ବାମୀ ଲିପନ୍‌ ଆସିଥିଲେ। ଛାତ ଉପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ତ ଓ ଠେଲାପେଲା ହୋଇଥିଲା। ସେଥିରେ ନିକିତା ପଡେ଼ାଶୀଙ୍କ ଛାତ ଉପରକୁ ଖସି ପଡ଼ିଥିଲେ। ଆଜି ଲିପନ୍‌ଙ୍କୁ ଦଫା ୩୦୨, ୧୦୭, ୧୨୦(ବି), ୪୯୮(ଏ), ୩୪ରେ ଗିରଫ କରି କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସରକାରଙ୍କ ପକ୍ଷରୁ କୋର୍ଟରେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ବଜିତ ବରାଳ ମାମଲା ପରିଚାଳନା କରିଥିଲେ। ଲିପନ୍‌ଙ୍କ ପକ୍ଷରୁ ଜାମିନ୍‌ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଜାମିନ୍‌ ଖାରଜ କରିଦେଇଥିଲେ। କୋର୍ଟ ଚାଲାଣ ବେଳେ ଲିପନ୍‌ଙ୍କୁ ଗଣମାଧ୍ୟମ ପ୍ରତିକ୍ରିୟା ନେଲା ବେଳେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା। ଘଟଣାକୁ ନେଇ ଅନୁତପ୍ତ ଥିବା ଜଣାଇବାକୁ ଚାହୁଁଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଅନ୍ୟପଟେ ବଡ଼ ମେଡିକାଲ୍‌ରୁ ଆସିଥିବା ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ନିକିତା ଉଚ୍ଚା ସ୍ଥାନରୁ ଖସି ପଡ଼ି ମୁଣ୍ତ ଏବ˚ ଅଣ୍ଟାର ପଛପଟେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦର୍ଶାଯାଇଛି। ଏବେ ଲିପନ୍‌ ଗିରଫ ହୋଇସାରିଥିବା ବେଳେ ନିକିତାଙ୍କ ଶାଶୂ ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା ଯେଉଁ ଅଭିଯୋଗ ହୋଇଥିଲା, ପୁଲିସ ସେ ଦିଗଟିକୁ ଆଜିଠାରୁ ତଦନ୍ତ କରିବାକୁ ଯୋଜନା କରିଥିଲା। କିନ୍ତୁ ଶାଶୂ-ଶ୍ବଶୁରଙ୍କ ସହଯୋଗ ମିଳିପାରି ନାହିଁ।

ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି ଯେ, ଉଭୟ ଶାଶୂ ଓ ଶ୍ବଶୁରଙ୍କୁ ଆଜି ଥାନାରେ ହାଜର ହେବାକୁ ନୋଟିସ୍‌ ପଠାଯାଇଥିଲା। କିନ୍ତୁ ସେମାନେ ହାଜର ହୋଇନାହାନ୍ତି। ଆସନ୍ତାକାଲି ଦ୍ବିତୀୟ ଥର ନୋଟିସ୍‌ ପଠାଯିବାକୁ ପୁଲିସ ଯୋଜନା କରୁଛି। ଥାନାରେ ଧାର୍ଯ୍ୟ ସମୟ ମଧ୍ୟରେ ହାଜର ନହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ସି˚ହ ସୂଚନା ଦେଇଛନ୍ତି।

ଅନ୍ୟପଟେ ଲିପନଙ୍କ ଭଉଣୀ ସୋନମ ସାହୁ କହିଛନ୍ତି ଯେ ନିକିତା ଶାଶୂ ଘରେ ରହିବାକୁ ଚାହୁଁ ନଥିଲେ। ପୂର୍ବରୁ ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହୁଥିଲେ। ଲିପନ କେବେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରି ନଥିବେ ବୋଲି ସୋନମ କହିଛନ୍ତି।

By amfnews

Related Post