Sat. Nov 23rd, 2024
242 Views

ପ୍ରଶାନ୍ତ ପଟ୍ଟନାୟକ

୨୦୧୯ ମସିହାର ଯେଉଁ କେତେକ ଯନ୍ତ୍ରଣା ଦାୟକ ସ୍ମୃତି ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିଯିବ । ସେଥିମଧ୍ୟରୁ ଏହି ବର୍ଷର ଶେଷ ଦିନ ସମାପ୍ତ ହେବାର କେଇ ଘଣ୍ଟା ପୂର୍ବରୁ ଆମ ମାନଙ୍କ ଠାରୁ ଚୀର ବିଦାୟ ନେଇଥିବା ମୋ ଘନିଷ୍ଟ ଗନି ବାବୁ (ଏସ୍ ଏମ୍ ଗନି ବା ଶାହବୁଦ୍ଦିନ ମହମ୍ମଦ ଗନି)ଙ୍କ ବିୟୋଗ ଥିଲା ଅନେକ ଯନ୍ତ୍ରଣା ପୂର୍ଣ୍ଣ । ଅନୁଜପ୍ରତିମ ସାହିତ୍ୟିକ ଓ ସଂସ୍କୃତି ସମିକ୍ଷକ ଅଶିତ୍ ମହାନ୍ତିଙ୍କ ଫେସବୁକ୍ ରୁ ପ୍ରଥମେ ଏହି ଦୁଃ ସମ୍ବାଦ ପଢ଼ି ମୁଁ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲି ।
ଗନି ବାବୁଙ୍କ ସହ ମୋର ସମ୍ପର୍କ ଦୀର୍ଘ ଦିନର, ସେତେବେଳେ ସେ ରାଜ୍ୟ ଅତିଥି ଭବନର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟରତ ଥାନ୍ତି, ଅତିଥି ଭବନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଭିଆପିମନଙ୍କ ତରଫରୁ ଦିଆଯାଉଥିବା ସରକାରୀ ଭୋଜି ଭାତ ଦେଖାଶୁଣା କରିବା ତାଙ୍କ ଦାୟୀତ୍ୱରେ ଥିଲା । ଆମେରିକାର ତଦନାନ୍ତିନ ରାଷ୍ଟ୍ରଦୂତ କେନିତ୍ ବି କିଟିଙ୍ଗ୍ ହୁଅନ୍ତୁ ବା ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଥିବା କ୍ରିକେଟ୍ ମ୍ୟାଚର ଖେଳାଳିମାନେ ହୁଅନ୍ତୁ ଓଡ଼ିଶା ଗସ୍ତରେ ଆସିବା ସମୟରେ ରାଜ୍ୟ ଅତିଥି ଶାଳରେ ସରକାରଙ୍କ ତରଫରୁ ଗନି ବାବୁ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରୁଥିଲେ । ସେତେବେଳେ ରାଜ୍ୟସ୍ତରୀୟ ଅଧିସ୍ୱକୃତିପ୍ରାପ୍ତ ସାମ୍ବାଦିନମାନଙ୍କ ସଂଖ୍ୟା ଥିଲା ମାତ୍ର ୨୦ ମଧ୍ୟରେ ସୀମିତ ଏବଂ ସମସ୍ତ ରାଜ୍ୟସ୍ତରୀୟ ମଧ୍ୟାନ୍ନ ଭୋଜନ ଅଥବା ନୈଶ୍ୟଭୋଜନରେ ଏହି ସାମ୍ବାଦିକମାନେ ନିମନ୍ତ୍ରିତ ହୋଇ ଯୋଗଦେଉଥିଲେ । ଗନିବାବୁ ପ୍ରତ୍ୟେକ ଅତିଥିଙ୍କୁ ଆପାୟୀତ କରିବା ଦାୟୀତ୍ୱରେ ଥିବାରୁ ସାମ୍ବାଦିକମାନଙ୍କ ସହ ତାଙ୍କର ଯଥେଷ୍ଟ ଘନିଷ୍ଟତା ରହିଥିଲା । ସେ ଥିଲେ ଜଣେ ସଂସ୍କୃତି ପ୍ରେମୀ ଏବଂ ଖାଦ୍ୟ ବିଷୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ମଧ୍ୟ ଥିଲା । ଓଡ଼ିଶା ଇତିହାସ ବିଷୟରେ ଗନି ବାବୁଙ୍କର ଯଥେଷ୍ଟ ଜ୍ଞାନ ଥିବାରୁ ମୁଁ କୌଣସି ଦର୍ଶନୀୟ ବା ଐତିହାସିକ ସ୍ଥାନ ସମ୍ପର୍କରେ ଫିଚର ଲେଖିବା ପାଇଁ ତାଙ୍କ ସହ ପରାମର୍ଶ କରୁଥିଲି । ବିଶ୍ୱପ୍ରସିଦ୍ଧ ନ୍ୟାସନାଲ ଜୋଗ୍ରାଫିକ୍ ମାଗାଜିନର ଦୁଇଗୋଟି ସଚିତ୍ର ସଂଖ୍ୟା ପ୍ରକାଶ ପାଇଁ ଏହି ପତ୍ରିକାର କର୍ତ୍ତୁପକ୍ଷ ନିଷ୍ପତି ନେଇ ଦୁଇଜଣ ଆର୍ନ୍ତଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଫଟୋଗ୍ରାଫର ଓ ଗବେଷକଙ୍କୁ ଓଡ଼ିଶା ପଠାଇବା ସମୟରେ ଗନିବାବୁ ସେମାନଙ୍କୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବା ସଂଗେସଂଗେ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ମଧ୍ୟ ସାଙ୍ଗରେ ନେଇଯାଉଥିଲେ । ଫଟୋଗ୍ରାଫି ପ୍ରତି ମୋର ଯଷ୍ଟେ ଆଗ୍ରହ ଥିବା ଯୋଗୁଁ ବିଦେଶରୁ ଆସୁଥିବା ଫଟୋ ସାମ୍ବାଦିକମାନଙ୍କ ସହ ମୋତେ ସେ ପରିଚିତ ମଧ୍ୟ କରାଇ ଦେଉଥିଲେ ।

୧୯୭୨ ମସିହାରେ ଜାପାନ ବୁଦ୍ଧ ସଂଘର ସଭାପତି ମହାମାନ୍ୟ ନିଚିଦାସ୍ତୁ ଫୁଜି ଗୁରୁଜୀ, ବିହାରର ପାଟ୍ନାରେ ବସବାସ କରୁଥିବା ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡ଼ିଆ ଚିତ୍ର ଶୀଳ୍ପି ଶ୍ରୀ ଉପେନ୍ଦ୍ର ମହାରଥି ଓ ତଦନାନ୍ତିନ ବିହାରର ରାଜ୍ୟପାଳ ଶ୍ରୀ ନିତ୍ୟାନନ୍ଦ କାନୁନ୍ଗୋଙ୍କ ନିମନ୍ତ୍ରଣ କ୍ରମେ ଧଉଳି ପାହାଡ଼ ଠାରେ ଥିବା ବୌଦ୍ଧ କିର୍ତ୍ତୀରାଜି ଦେଖିବା ପାଇଁ ଓଡ଼ିଶା ଆସିଥିବା ସମୟରେ ରାଜ୍ୟ ସରକାରଙ୍କ ଅତିଥି ଭାବରେ ରାଜ୍ୟ ଅତିଥି ଭବନରେ ରହିଥିଲେ ଏବଂ ଗନି ବାବୁ ତାଙ୍କର ରହିବା ଖାଇବାର ସବୁ ପ୍ରକାର ବ୍ୟବସ୍ଥା କରି ଜାପାନି ଖାଦ୍ୟ ପରିବେଷଣରେ ଦକ୍ଷତା ପଦର୍ଶନ କରି ଗୁରୁଜୀ ଏବଂ ତାଙ୍କର ଘନିଷ୍ଠ ଅନୁଗତମାନଙ୍କୁ ଚମତ୍ କୃତ କରିଦେଇଥିଲେ । ଏହି ସମୟରେ ଗୁରୁଜୀ ଧଉଳି ପରିଦର୍ଶନ କରିବା ବେଳେ ତଦନାନ୍ତିନ ମୁଖ୍ୟ ପର୍ଯ୍ୟଟନ ଗାଇଡ୍ ଡ଼. ଗୌରି କୁମାର ବ୍ରହ୍ମା ଓ ଗନି ବାବୁ ଗୁରୁଜୀଙ୍କୁ ଧଉଳୀର ଇତିହାସ ଏବଂ ଏହାର ପାଦ ଦେଶରେ ହୋଇଥିବା କଳିଙ୍ଗ ଯୁଦ୍ଧ ସଂପର୍କରେ ସୂଚନା ଦେଇ ଏହି ଠାରେ ହିଁ ଦୁର୍ଦଶ ସମ୍ରାଟ ଅଶୋକ ବୌଦ୍ଧ ଧର୍ମରେ ଦିଖିତ ହୋଇ ଚଣ୍ଡାଶୋକ ରୁ ଧର୍ମାଶୋକରେ ପରିଣତ ହୋଇଥିବାର କାହାଣୀ ଶୁଣିବା ପରେ ଭାରତର ଦ୍ୱିତୀୟ ବିଶ୍ୱ ଶାନ୍ତୀସ୍ତୂପ ଧଉଳି ପାହାଡ଼ ଶିଖର ଉପରେ ନିର୍ମାଣ କରିବେବୋଲି ନିଷ୍ପତି ଘୋଷଣା କରିଥିଲେ ।
ପରବର୍ତ୍ତୀ କାଳରେ ଗନି ବାବୁ ଭୁବନେଶ୍ୱର ଠାରେ ଫୁଡ଼କ୍ରାଫ୍ଟ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଟା ପାଇଁ ଉଦ୍ୟମ କରି ସଫଳ ହେଲେ ଓ ଏହାର ଅଧ୍ୟକ୍ଷ ଭାବରେ ଦାୟୀତ୍ୱ ଗ୍ରହଣ କରିଥିଲେ ସେତେବେଳେ ପର୍ଯ୍ୟଟନ ଓ ଖାଦ୍ୟ ଶିଳ୍ପ ସମ୍ପର୍କରେ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଓ ତାଲିମ୍ ଦେବାଲାଗି ଏହି ଅନୁଷ୍ଠାନ ଉଦ୍ୟମ କରି ସଫଳତା ହାସଲ କରିଥିଲା । ପରବର୍ତ୍ତୀ କାଳରେ ଗନି ବାବୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟ୍ଟନ ମନ୍ତ୍ରଣାଳୟରେ ଉଚ୍ଚ ପଦବିରେ ଅଧିଷ୍ଠିତ ହୋଇ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ ଓ ଖାଦ୍ୟ ଶିଳ୍ପର ବିକାଶ ପାଇଁ ପଦକ୍ଷପ ନେଇଥିଲେ ।

ଗନି ବାବୁ କଟକରେ ସଏଦ ସେମିନାରୀ ହାଇସ୍କୁଲରେ ପାଠପଢ଼ିବା ସମୟରେ ମୋର ବଡ଼ ଭିଣୋଇ କାନ୍ନୁ ଚରଣ କଟ୍ଟନାୟକ ସେହି ସ୍କୁଲରେ ଗଣିତ ଶିକ୍ଷା ଏବଂ ଏନ୍ ସି ସି ତାଲିମ୍ ଦାଇତ୍ୱରେ ଥିବାରୁ ଏବଂ ଗନିବାବୁ ଏ ସମ୍ପର୍କରେ ଜାଣିବା ପରେ ମୋ ସହିତ ତାଙ୍କର ଆନ୍ତରିକତା ଯଥେଷ୍ଟ ବଢ଼ିଯାଇଥିଲା । ସେ ନିଜେ ମୁସଲମାନ ହୋଇଥିଲେ ସୁଦ୍ଧା ଶ୍ରୀ ଜଗନ୍ନାଥଙ୍କ ମନ୍ଧିରରେ ପ୍ରସ୍ତୁତ ମହାପ୍ରସାଦ ଉପରେ ଗବେଷଣା କରି ଅନେକ ତଥ୍ୟ ସଂଗ୍ରହ କରିଥିଲେ ଏବଂ ‘ଭଗବାନଙ୍କ ଖଦ୍ୟ ବା ଫୁଡ଼ ଫର ଗଡ଼ସ୍’ ଶିର୍ଶକ ଏକ ସଚିତ୍ର ପ୍ରବନ୍ଧ ଲେଖିବା ପାଇଁ ମୋତେ କେବଳ ପ୍ରବର୍ତ୍ତାଇ ନଥିଲେ ଏଦିଗରେ ମଧ୍ୟ ବିଶେଷ ସହଯୋଗ କରିଥିଲେ । ଫଳରେ କେବଳ ତାଙ୍କ ସହ ନୁହେଁ ତାଙ୍କ ପରିବାର ସହ ମୋ ପରିବାରର ଆନ୍ତରିକତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଥିଲା ।

ବଭିନ୍ନ ମନ୍ଦିରରେ ପରିବେଷଣ କରାଯାଇଥିବା ଖାଦ୍ୟ ସାମଗ୍ରୀ, ବିଭିନ୍ନ ଓଡ଼ିଆ ପର୍ବପର୍ବାଣୀରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ଆଦିବାସୀ ସଂପ୍ରଦୟର ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ପ୍ରଭୃତି ସଂପର୍କରେ କେତେ ଗୁଡ଼ିଏ ଫିଚର ଓ ପୁସ୍ତକ ପ୍ରକାଶ ପାଇଁ ଆମେ ଦୁହେଁ ଯୋଜନା କରିଥିଲୁ । ସେଥିପାଇଁ ଫଟୋଗୁଡ଼ିକ ମୁଁ ଉଠାଇଥାନ୍ତି ମାତ୍ର ଗନି ବାବୁଙ୍କ ବିୟୋଗ ଫଲରେ ତାହା ଅପୁରଣୀୟ ହୋଇ ରହିଗଲା । ରସଗୋଲାକୁ ନେଇ ପଶ୍ଚିମ ବଙ୍ଗଳା ଓଡ଼ିଶା ମଧ୍ୟରେ ଚାଲିଥିବା ବାଦ ବିବାଦ ସମୟରେ ଶ୍ରୀ ଗନି ଯେଉଁ ନିର୍ଣ୍ଣୟକ ଭୂମିକା ଗ୍ରହଣ କରିଥିଲେ ସେଥିପାଇଁ ସେ ସବୁଦିନେ ଓଡ଼ିଶା ବାସୀଙ୍କ ନିକଟରେ ଅବିସ୍ମରଣୀୟ ହୋଇ ରହିବେ । ତାଙ୍କର ବିୟୋଗ ମୋ ପାଇଁ ଅତି ମାତ୍ରାରେ ବେଦନା ଦାୟକ ଓ ଏହାର ଉପସମ ଏ ଜୀବନରେ ସମ୍ଭବ ନୁହେଁ ।

By amfnews

Related Post