Sun. Mar 8th, 2026

ଅବାଧରେ ଚାଲିଛି ଶତାଧିକ ଇଟାଭାଟି, ନିୟୋଜିତ ହୋଇଛନ୍ତି ଶିଶୁ

230 Views

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଶହଶହ ବେଆଇନ ଇଟାଭାଟି ଗଢି ଉଠିଛି। ବର୍ତ୍ତମାନ ଜିଲ୍ଲାରେ ୧୫ ଦିନ ଧରି ଲକ୍‌ଡାଉନ୍‌ ଜାରି ରହିଛି। ଏହା ସତ୍ବେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଏବେବି ଜିଲ୍ଲାର ବହୁ ଗ୍ରାମାଞ୍ଚଳରେ ଥିବା ଇଟାଭାଟିରେ ଲକ୍‌ଡାଉନ୍‌ ନିୟମ ଉଲଘଂନ କରି ଅବାଧରେ ଇଟା ଗଢା ଚାଲିଛି। ବୌଦ୍ଧ ବ୍ଲକ୍‌ ବନ୍ଧାପଥରରେ ଚାଲିଥିବା ଇଟାଭାଟିରେ କିଭଳି ନାବାଳକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି ତାହା ଫଟୋରୁ ହିଁ ସ୍ପଷ୍ଟ ହେଉଛି। ସେହିପରି ବୌଦ୍ଧ, ହରଭଙ୍ଗା, କଣ୍ଟାମାଲ ବ୍ଲକର ଏକାଧିକ ଗ୍ରାମାଞ୍ଚଳରେ ଇଟାଭାଟି ଚାଲିଥିବା ଓ ଶତାଧିକ ଶ୍ରମିକ ନିୟୋଜିତ ହୋଇଥିବା ତୃଣମୂଳ ସ୍ତରରୁ ସଂଗ୍ରହ ଖବରରୁ ଜଣାପଡିଛି। କରୋନା ମୁକାବିଲା ନେଇ ପ୍ରଶାସନ ବ୍ୟସ୍ତ ଥିବା ବେଳେ ତାହାର ଫାଇଦା ଉଠାଉଛନ୍ତି ଇଟାଭାଟି ମାଳିକମାନେ। ତେବେ ସାମାଜିକ ଦୂରତ୍ବ ମଧ୍ୟ ଶ୍ରମିକମାନଙ୍କ ମଧ୍ୟରେ ରହୁ ନାହିଁ।

ବାହାର ରାଜ୍ୟରୁ ଫେରିଥିବା ଦାଦନ ଶ୍ରମିକ ପରିବାର ମଧ୍ୟ ଏହି ଇଟାଭାଟିରେ ପୁନର୍ବାର କାମ କରୁଥିବା ଜଣାପଡିଛି। ତେବେ ଲକ୍‌ଡାଉନ୍‌ କଟକଣା ଥିବା ବେଳେ ଇଟା ପୋଡିବା ପାଇଁ କୋଇଲା ବୋଝେଇ ଟ୍ରକ୍‌ କିଭଳି ଭାଟି ପର୍ଯ୍ୟନ୍ତ ପହଞ୍ଚୁଛି ତାହା ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ। ସୋମବାର ଏକ କୋଇଲା ବୋଝେଇ ଟ୍ରକ୍‌ ପଦ୍ମନପୁର ଗାଁକୁ ପହଞ୍ଚିବାରୁ ଘଟଣାଟି ସମାନାକୁ ଆସିଛି।

ଅପରପକ୍ଷେ ଗାଁମାନଙ୍କରେ କରୋନା ମୁକାବିଲା ନେଇ ଅଧିକ ସଚେତନ ହେଉଥିବା, ଗାଁରାସ୍ତାରେ ଚେକ୍‌ଗେଟ ପକାଯାଇ ଅବରୋଧ କରାଯାଉଥିବା, ସାବୁନରେ ହାତ ଧୋଇବା, ବାହାର ଲୋକଙ୍କ ପ୍ରବେଶରେ ଅଙ୍କୁଶ ଲଗାଯାଉଥିବା ଦେଖିବାକୁ ମିଳୁଥିବା ବେଳେ ଗାଁରେ ଭିତରେ ନିୟମ ଉଲଘଂନକାରୀଙ୍କ ସଂଖ୍ୟା ବଢିବା ପ୍ରଶାସନ ପାଇଁ ଚିନ୍ତା ବଢାଇ ଦେଇଛି। ଏହା ସହ ସରକାର ପ୍ରଚୁର ରାଜସ୍ବ ମଧ୍ୟ ହରାଉଛନ୍ତି। ଜଙ୍ଗଲ ଜମିକୁ ଖୋଲି ନଷ୍ଟ କରାଯାଉଛି। ଅବାଧରେ ଚାଲିଥିବା ଇଟାଭାଟିଗୁଡ଼ିକୁ ବନ୍ଦ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ନିୟୋଜିତ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସଚେତନ ମହଲରୁ ଦାବି ହେଉଛି।

By amfnews

Related Post