112 Views
ଭୁବନେଶ୍ୱର, ଜୁଲାଇ ୨୧ : ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଅନେକ ଦିନ ହେଲା ଲିଭର୍ କ୍ୟାନସର୍ ରେ ପୀଡ଼ିତ ଥିଲେ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ନିଧନ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ସୂଚନା ଅନୁଯାୟୀ, ପ୍ରିୟବ୍ରତ ପଟ୍ଟନାୟକ ୧୯୭୬ ବ୍ୟାଚର ଜଣେ ସୁଦକ୍ଷ ଆଇଏଏସ୍ ଅଧିକାରୀ ଥିଲେ । ସେ ନିଜର କାର୍ଯ୍ୟଶୈଳୀ ପାଇଁ ଖୁଵ ପରିଚିତ ଥିଲେ । ସେ ଯୋଜନା କାର୍ଯ୍ୟକାରିତାରେ ସେ ବେଶ କଠୋର ଆଭିମୁଖ୍ୟ ରଖୁଥିଲେ । ଲୋକଙ୍କ ସମସ୍ୟା ଓ ଆପତ୍ତି ଅଭିଯୋଗକୁ ସବୁବେଳେ ପ୍ରାଧାନ୍ୟ ଦେଉଥିବା ଶ୍ରୀ ପଟ୍ଟନାୟକ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହେଉ ନଥିଲେ । ଫଳରେ ସେ ଅନେକ ସମୟରେ ବିବାଦ ଘେରକୁ ଟାଣି ହୋଇଥିଲେ । ମୁଖ୍ୟ ଶାସନ ସଚିବ ପାହ୍ୟାରେ ସେ ଇଡ଼କୋର ସିଏମଡି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେହି ସମୟରେ ଓଡ଼ିଶାକୁ ବଡ଼ ବଡ଼ ଶିଳ୍ପ ଆଣିବା ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ । ‘ଭୁବନେଶ୍ୱର କ୍ଲବ୍’ ର ସେ ପ୍ରତିଷ୍ଠାତା ତଥା ଏହାର ସଭାପତି ଥିଲେ । ସ୍ୱର୍ଗତ ପଟ୍ଟନାୟକଙ୍କ ମରଶରୀର ଆସନ୍ତାକାଲି ଭୁବନେଶ୍ୱର ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।