Thu. Jan 23rd, 2025

‘ଅବଲକ୍ଷଣ ସାମ୍ବାଦିକତା ସମାଜ ପାଇଁ ଅସ୍ୱାସ୍ଥ୍ୟକର’

By amfnews Mar 1, 2019 #Featured
463 Views

ଓଡ଼ିଆ ଦୈନିକ ସମ୍ବାଦପତ୍ର ଓ ନ୍ୟୁଜ୍ ପୋର୍ଟାଲ ‘ସିଟି ମିରର୍’ଲୋକାର୍ପିତ

ଭୁବନେଶ୍ୱର : ରାଜନୀତି ବିନା କୌଣସି ବ୍ୟବସ୍ଥା ଚାଲିପାରେ ନାହିଁ । ରାଜତନ୍ତ୍ର, ଗଣତନ୍ତ୍ର, ପ୍ରଜାତନ୍ତ୍ର ଏବଂ ଇଚ୍ଛାତନ୍ତ୍ର ସମୟାନୁକ୍ରମେ ଯୁଗ ଯୁଗ ଧରି ଚାଲି ଆସିଛି । ଏସବୁ କ୍ଷେତ୍ରରେ ଭାବ ଆଉ ଆଦର୍ଶର ଆବଶ୍ୟକତା ରହିଛି ବୋଲି ଅତୀତ ଆମକୁ ଶିକ୍ଷା ଦେଇଛି । କିନ୍ତୁ ଆଜିକା ଦିନରେ ତାହା ପରିଲକ୍ଷିତ ହୁଏ ନାହିଁ । ରାଜନୈତିକ କ୍ଷେତ୍ରରେ ଏକ ଘୃଣ୍ୟ ପ୍ରତିଯୋଗିତା ବର୍ତ୍ତମାନ ଦେଖିବାକୁ ମିଳୁଛି । ଯାହାଦ୍ୱାରା ରାଜନୈତିକ ସଂଜ୍ଞା ବଦଳୁଛି । ଠିକ୍ ସେହିଭଳି ଅବଲକ୍ଷଣ ସାମ୍ବାଦିକତା କ୍ଷେତ୍ରରେ ପରିଲକ୍ଷିତ ହୁଏ ଯାହା ସମାଜ ପାଇଁ ଅସ୍ୱାସ୍ଥ୍ୟକର ବୋଲି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ଆଜି ଓଡ଼ିଆ ଦୈନିକ ସମ୍ବାଦପତ୍ର ଓ ନ୍ୟୁଜ୍ ପୋର୍ଟାଲ ‘ସିଟି ମିରର୍’ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଇଡ଼ିକଲ୍ ଅଡ଼ିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ କହିଥିଲେ, ଓଡିଶା ସମେତ ସମଗ୍ର ଭାରତବର୍ଷରେ ସ୍ୱାଧୀନତା ବହୁ ପୂର୍ବରୁ ଅନେକ ସମ୍ବାଦପତ୍ର ପ୍ରକାଶ ପାଇଛି । ଏହି ସମ୍ବାଦପତ୍ର ପ୍ରକାଶ କରିବାରେ ଯେଉଁମାନେ ଅଗ୍ରଣୀ ଭୂମିକା ଅବଲମ୍ବନ କରିଥିଲେ ସେମାନେ ସଭିଏଁ ଜଣେ ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ । ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ଗୋପବନ୍ଧୁ ଓ ନବକୃଷ୍ଣ ଚୌଧୁରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସମ୍ବାଦପତ୍ରଗୁଡିକର ସୁସମ୍ପର୍କ ରହୁଥିଲା ।

ଆମେ ଯେଉଁ ସମୟରେ ଆମ ସମ୍ବିଧାନକୁ ପରିଚାଳନା କରିବାରେ ଅସମର୍ଥ ହେଉଥିଲୁ, ବ୍ରିଟିଶ୍ ପାଖରେ ପରାଧୀନରାର ଜୀବନ ଅତିବାହିତ କରୁଥିଲୁ ସେହି ସମୟରେ ନିର୍ଭୀକ ସମ୍ବାଦପତ୍ର ପ୍ରକାଶ କରିବା କେତେ ସାହସିକତାର ସଂକେତ ଆମେ ଅନୁମାନ ଲଗାଇ ପାରିବା । ତେଣୁ ସାମାଜର ସ୍ୱାର୍ଥକ ଦୃଷ୍ଟିରୁ ସାମ୍ବାଦିକତା କ୍ଷେତ୍ରରେ ନିରପେକ୍ଷତା ଓ ଆଦର୍ଶର ଆବଶ୍ୟକତା ରହିଛି । ତେଣୁ ସମ୍ବାଦପତ୍ରରେ ନିରପେକ୍ଷତା ନୀତି ଅବଲମ୍ବନ କରିବା ଜରୁରୀ ଅଟେ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଶା ମୁଖ୍ୟ ବିଚାରପତି ଡ଼ି.ପି ଚୌଧୁରୀ କହିଥିଲେ ଯେ, ସମ୍ବାଦପତ୍ର ହେଉଛି ସମାଜର ଆଇନା । ତେଣୁ ସମାଜରେ ଯାହା ଘଟିଥାଏ ସେହି ଘଟଣାବଳୀକୁ ଲୋକ ସମ୍ମାନକୁ ଆଣିବାରେ ଗଣମଧ୍ୟାମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଗଣମାଧ୍ୟମ ସବୁବେଳେ ନିରପେକ୍ଷତା ସହିତ ଖବର ପରିବେଷଣ କରିବା ଆବଶ୍ୟକ ।

‘ସିଟି ମିରର୍’ର ମୁଖ୍ୟ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିବା ସହିତ ରାଜ୍ୟରେ ୮୦ଟି ଦୈନିକ ଖବର କାଗଜ ପ୍ରକାଶ ପାଉଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଖବର କାଗଜ ରାଜନୈତିକ ଦଳମାନଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛି । କିନ୍ତୁ ସିଟି ମିରର୍ ଖବର କାଗଜ କୌଣସି ପ୍ରକାର ରାଜନୈତିକ ଦଳ ସହିତ ସଂପୃକ୍ତ ନଥିବା ଏକ ମାତ୍ର ନିରପେକ୍ଷ ସମ୍ବାଦପତ୍ର ହୋଇ ରହିବ ବୋଲି ଆଶା ପ୍ରକଟ କରିଥିଲେ । ତେଣୁ ଏହି ଖବର କାଗଜରେ ସକାରାତ୍ମକ ସମ୍ବାଦିକତାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜୀବନ ଜ୍ୟୋତି ବାରିକଙ୍କୁ ‘ ସିଟି ମିରର୍’ ଉଦ୍ୟେଗୀ ସମ୍ମାନରେ ଓ ଶ୍ରୀନିବାସ ଘଟୁଆରୀଙ୍କୁ ‘ସିଟି ମିରର୍’ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ବାଦପତ୍ରର ପ୍ରକାଶକ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post